Unknown

 

 

 

 

 

 

 

 

 

 

 

ଭୋଟ କଥାଟା କଣ

ବିନୋଦ କାନୁନଗୋ

 

ଏ ବହି କାହିଁକି ?

 

ଦୁନିଆରେ ଦୁଇ ପ୍ରକାର ଶାସନ ଚାଲିଛି–“ସମସ୍ତଙ୍କ ମତରେ ଶାସନ’’ ଓ ‘‘ଜଣକ ମତରେ ଶାସନ” । ସମସ୍ତଙ୍କ ମତ ନେଇ ଯେଉଁଠି ଦେଶର କାମ ଚାଲିଛି ସେଠି ଗଣତନ୍ତ୍ର କାମ କରୁଛି ବୋଲି କୁହାଯାଏ ।

 

ଗଣତନ୍ତ୍ର ନୀତିରେ ଦେଶକୁ ଚଳାଇବାକୁ ହେଲେ କେତେଲୋକଙ୍କୁ ବାଛି ଦେବାକୁ ହେବ । ସେହିମାନେ ଶାସନ କାମ ଚଳାଇବେ । ସେହି ବାଛିଦେବା କାମଟାକୁ ନିର୍ବାଚନ ବୋଲି କୁହାଯାଏ । ଲୋକଙ୍କର ମତ ନେଲେ ତ ନିର୍ବାଚନ ହେବ–ସେହି ‘ମତ’ର ଅନ୍ୟନାମ ହେଲା ‘ଭୋଟ’ ।

 

ଭୋଟ କଥାଟିର ପ୍ରକୃତ ଅର୍ଥ କ’ଣ ବୁଝି ସୁଝି ଭୋଟ ଦେଲେ କ’ଣ ହୁଏ ଅନ୍ଧଭାବରେ ଦେଲେ କ’ଣ ହୁଏ ଜାଣିଲା ପରେ କିଏ କାହାକୁ ଭୋଟଦେବ ସ୍ଥିର କରିବା ସହଜ । ଲୋକେ ଏ ବହିଟି ପଢ଼ିଲେ ଭୋଟ ବିଷୟରେ ଯାବତୀୟ କଥା ନିଶ୍ଚେ ଜାଣିଯିବେ । ଆମେ ବୁଝିପାରିବା ଯେ ଭୋଟ କାଗଜଟି ଗୋଟିଏ “କ୍ଷମତା-ପତ୍ର ଦଲିଲ ।” ସେ ଦଲିଲ ଆମେ ଯାହା ନାଁରେ ସମ୍ପାଦନ କରିଦେବା ସେହି ହେଲା ଆମ କ୍ଷମତାପତ୍ର ପାଇଥିବା ପ୍ରତିନିଧି । କ୍ଷମତାପତ୍ର ସମ୍ପାଦନ କରିଦେବା ପୂର୍ବରୁହିଁ ଭାବିବାକୁ ହେବ କ’ଣ କରିବାକୁ ଯାଉଛି । ତା’ପରେ ଆଉ ବିଶେଷ କିଛି ଭାବିବାକୁ ନ ଥିବ ।

 

ଯେଉଁ ଦେଶର ଲୋକ ଭଲଭାବରେ ବୁଝି ଭୋଟ ଦିଅନ୍ତି ସେ ଦେଶର ଉନ୍ନତି ହୁଏ; ନ ବୁଝି ନ ସୁଝି ଦେଲେ ଦେଶ ପଛକୁ ଫେରିଯାଏ ।

 

ଆମ ଦେଶରେ ଭୋଟ ଶାସନ ଚାଲୁ ଥିବାରୁ ସମସ୍ତେ ଏ ବିଷୟରେ ସବୁକଥା ଭଲଭାବରେ ଜାଣନ୍ତୁ ବୋଲି ଆମର ଇଚ୍ଛା । ସେଇଥି ପାଇଁ ଏ ବହି ଖଣ୍ତିକ ଲେଖା ଯାଇଛି ।

 

ବିନୋଦ କାନୁନଗୋ

ତା ୧୫/୨/୧୯୫୬

Image

 

ଭୋଟ କଥାଟା କ’ଣ ?

 

ହଜାର ବର୍ଷ ତଳର ଜଣେ ଲୋକ କେଉଁଠି ଜିଇଁଥାନ୍ତା ଓ ଆଜି ହଠାତ୍ ଆସି ଆମ ଆଗରେ ଠିଆ ହୋଇଯାଆନ୍ତା, ଆଜିର ଦୁନିଆକୁ ଦେଖି ସେ କାବା ହୋଇଯାଆନ୍ତା–ତା’ ପାଟିରୁ କଥା ବାହାରନ୍ତା ନାହିଁ । ଉଡ଼ାଜାହାଜଟା ଆକାଶରେ ଉଡ଼ୁଛି ଦେଖିଲେ ତାକୁ ଯେତିକି ଆଶ୍ଟର୍ଯ୍ୟ ଲାଗନ୍ତା, ତାଠୁଁ ବେଶି ଲାଗନ୍ତା ରେଡ଼ିଓ ଶୁଣି । ସେ ସହଜରେ ବିଶ୍ୱାସ କରନ୍ତା ନାହିଁ ହଜାର ହଜାର କୋଶ ଦୂରରୁ କଥାଟା ଶୁଭୁଛି ।

 

କିନ୍ତୁ ତାକୁ ବୋଧହୁଏ ସବୁଠୁଁ ବେଶି ଆଶ୍ଟର୍ଯ୍ୟର କଥା ବୋଲି ଜଣା ପଡ଼ନ୍ତା “ଭୋଟ କାଗଜ” ଖଣ୍ତିକ । ଖଣ୍ତିଏ ଭୋଟ କାଗଜର କରାମତି କେତେ ଜାଣିଲା ପରେ ସେ ଥକାହୋଇ ବସିପଡ଼ନ୍ତା । ମନୁଷ୍ୟର ବୁଦ୍ଧି ଶେଷ ସୀମାରେ ପହଁଚିଲାରୁ ଯାଇ ସେ “ଭୋଟ କାଗଜ” ସୃଷ୍ଟି କରିପାରିଲା । ପରମାଣୁ ବୋମାର ଶକ୍ତି ସବୁଠୁଁ ବେଶି ହୋଇପାରେ–କିନ୍ତୁ ତାକୁ ନିଜ ଅକ୍ତିୟାର ଭିତରେ ରଖୁଛି ଏହି ଭୋଟ !

 

ଏକଥା ମାନିଗଲେ କିଛି କ୍ଷତି ନାହିଁ ଯେ ଭୋଟ କାଗଜର ଇତିହାସହିଁ–ମଣିଷ ସଭ୍ୟତାର ଇତିହାସ । ଗୋଟାଏ ଗୋଟାଏ ଦେଶର କୋଟି କୋଟି ଲୋକ ଏହି ଭୋଟ କାଗଜରେ ବନ୍ଧାହୋଇ ଏକ କୁଟୁମ୍ବ ଭଳି ଚଳୁଛନ୍ତି ।

 

କିନ୍ତୁ ତା’ ସଙ୍ଗେ ସଙ୍ଗେ ଆଉ ଗୋଟିଏ କଥା ଭୁଲିଗଲେ ଚଳିବ ନାହିଁ । ଭୋଟ କାଗଜ ଖଣ୍ତିକର ଶକ୍ତି ଏତେ ବେଶି ହୋଇଥିବାରୁ ତାକୁ ବ୍ୟବହାର କରି ଜାଣିଲେ ଆମେ ପୃଥିବୀଟାକୁ ସ୍ୱର୍ଗ କରି ଦେଇ ପାରିବା–ବ୍ୟବହାର କରିନଜାଣିଲେ ନର୍କ ପାଲଟିଯିବ । ବ୍ୟବହାର ଗୁଣେ ଏକାନିଆଁ ନୂଆ ସଂସାର ଗଢ଼ିଦେଉଛି ବା ଶହ ଶହ ବର୍ଷର ପରିଶ୍ରମକୁ ପୋଡ଼ିଜାଳି ମାଟିରେ ମିଶାଇ ଦେଉଛି । ଆମେ ଯେତେବେଳେ ଭୋଟ ଯୁଗରେ ଜନମ ହୋଇଛୁ ଭୋଟ ଶବ୍ଦର ପ୍ରକୃତ ଅର୍ଥ କ’ଣ, ତା’ର ବ୍ୟବହାର କିପରି ହୁଏ, ବ୍ୟବହାର କରି ଜାଣିଲେ କିଭଳି ଲାଭ ହୁଏ ଓ କିପରି ସର୍ବନାଶ ହୁଏ–ଏହି ସବୁକଥା ଆମକୁ ଜାଣିବାକୁହିଁ ପଡ଼ିବ ।

 

ପ୍ରଥମ ମଣିଷ

 

ଯେତେବେଳେ ପ୍ରଥମେ ମଣିଷ ଜନ୍ମହେଲା ସେତେବେଳେ ପୃଥିବୀରେ କମ୍ ଲୋକ ଥିଲେ । ଖୁବ୍ ବେଶି ହେଲେ ଗୋଟିଏ ଗୋଟିଏ ସ୍ଥାନରେ ପାଞ୍ଚ ଦଶ ଜଣ ଏକାଠି ରହୁଥିଲେ । ସେତେବେଳେ କାହାରିତ ଘର ଦ୍ୱାର ନ ଥିଲା । ପାହାଡ଼ ଖୋଲ ବା ଗଛମୂଳ ଥିଲା ଆଶ୍ରୟସ୍ଥଳ । ଚାଷ ବାସ କେହି ଜାଣିନଥିଲେ । ଜୀବଜନ୍ତୁଙ୍କ ମାଂସ ଓ ଫଳମୂଳ ଖାଇ ଚଳି ଯାଉଥିଲେ । ଲୋକ କମ୍–ଖାଇବା ପଦାର୍ଥର ଅଭାବ ନାହିଁ–କଳିଗୋଳ ବା କାହିଁକି ଲାଗନ୍ତା । ସମାଜ ବୋଲି ଗୋଟାଏ କିଛି କଥା ସେ ଯୁଗର ମଣିଷ ଜାଣିନଥିଲା । ତଥାପି ସେହି ଆଠ ଦଶ ଜଣ ବା ପନ୍ଦର କୋଡ଼ିଏ ଜଣ ନିଜ ଭିତରୁ ଜଣକୁ କାହାକୁ ମୁରବି ଭଳି ମାନି ଚଳି ଯାଉଥିବେ, ବିଶେଷ କିଛି ଅସୁବିଧା ହେଉନଥିବ ।

 

ଚାଷ ଶିଖିଲା

 

ମଣିଷର ଟିକିଏ ବେଶି ବେଶି ବୁଦ୍ଧି ହେଲା । କ୍ରମେ ଲୋକ ସଂଖ୍ୟା ବଢ଼ିଲାରୁ ହାତ ପାଆନ୍ତାରେ ଯଥେଷ୍ଟ ଫଳମୂଳ ମିଳିଲା ନାହିଁ–ଶିକାରତ ସବୁବେଳେ ଯୁଟେ ନାହିଁ । ଗଛ କିପରି ଉଠୁଛି, ବଡ଼ ହେଉଛି, ଫୁଲ ଧରୁଛି, ଫଳ ଫଳୁଛି–ସବୁ କଥା ଲକ୍ଷ୍ୟ କଲାରୁ ଚାଷର ସୂତ୍ରଟା ମନୁଷ୍ୟ ପାଇଗଲା । ମନୁଷ୍ୟର ଆନନ୍ଦର ସୀମା ରହି ନ ଥିବ । କେତେ ଅଳ୍ପ ଜାଗାରୁ ସେ ତା’ର ଖାଇବା ଜିନିଷ ପାଇ ଯାଉଛି ଦେଖି ଟିକିଏ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିବ । ସେତେବେଳକୁ ଲୁଗା ପିନ୍ଧି ଶିଖିନଥିଲେ ମଧ୍ୟ ଚାଷ କିଆରୀ ଚାରିପଟେ ଡାଳ ପତ୍ରରେ କୁଡ଼ିଆ ମାରି ରହିଥିବ । ଯେଉଁଠି ଚାଷର ସୁବିଧା ଅଛି–ବିଶେଷତଃ ନଈ କୂଳରେ ଦଳେ ଦଳେ ଲୋକ ଏକାଠି ରହି ଯାଇଥିବେ । ପ୍ରଥମ ଗାଁ ସବୁ ଏହିଭଳି ଭାବରେ ସୃଷ୍ଟି ହୋଇଥିବ ।

 

ଗାଁ ଓ ଦଳପତି

 

ଗାଁଟିରେ ଅନେକ ଲୋକ ରହିଲେ ଓ ହୁଏତ ଭିନେ ଭିନେ ଚାଷ କଲେ । ସ୍ଥାୟୀ ଭାବରେ ବସବାସ କରି ରହିବା ଫଳରେ ନାନା ସମସ୍ୟା ଦେଖା ଦେଇଥିବ–ବିଲରେ ବାଡ଼ରେ କଳି ହୋଇଥିବ । କଳିଗୋଳ ତୁଟାଇବା ଦରକାର । ସେ କାମ କରନ୍ତା କିଏ ? ଗାଁ ଯାକ ଲୋକେ ମିଶି ଜଣେ ଲୋକ ବାଛିଲେ । ଦଳକଯାକ ଲୋକ ଏକାଠି ବସି ଯାହାକୁ ମୁରବି ବୋଲି ଠିକ୍ କରିଦେଲେ ସେହି ହେଲା ଦଳର ମାଲିକ । ତାକୁ କହିଲେ ‘ଦଳପତି’ । ସେହି ଜଣକ ସମସ୍ତଙ୍କ ହାନି ଲାଭ ବୁଝିଲା । ସେତେବେଳେ ତା’ର ଏକମାତ୍ର କାମ ଥିଲା କଳିଗୋଳ ହେଲେ ନିଷ୍ପତ୍ତି କରିଦେବା ଓ ଯଦି କେହି କଥା ନ ମାନିଲା ବା ବଦମାସି କଲା ତାକୁ ଶାସ୍ତି ଦେବା । ଅପରାଧୀକୁ ଶାସ୍ତି ଦେବା ଓ ଗାଁକୁ ଶତ୍ରୁ ହାତରୁ ରକ୍ଷା କରିବା କାମ ତୁଲାଇବାକୁ ପଡ଼ୁଥିବାରୁ ଯେ ସମସ୍ତଙ୍କଠୁଁ ଦେହ ବଳୁଆ ତାକୁହିଁ ଦଳପତି ରୂପରେ ବଛା ଯାଉଥିଲା । ସମସ୍ତଙ୍କର ଉପରେ ଥିଲା ସେହି ଲୋକଟି ସର୍ଦ୍ଦାର ।

 

ରାଜ୍ୟ ଓ ରାଜା

 

କ୍ରମେ ଅନେକ ଗୁଡ଼ିଏ ବସ୍ତି ଗଢ଼ି ଉଠିଲା । ପ୍ରତି ବସ୍ତିର ଜଣେ ଜଣେ ଦଳପତି ରହିଲେ । ଭିନ୍ନ ଭିନ୍ନ ଗାଁ ଭିତରେ କଳିଗୋଳ ହେଲେ–ବିବାଦ ଲାଗିଲେ ତୁଟାଇ ଦେବାକୁ କେହି ନଥିଲେ । ଫଳରେ ଅନେକ ସମୟରେ ଅଶାନ୍ତି ହେଉଥିବ । ଅନେକ ଗାଁକୁ ମିଶାଇ ଗୋଟିଏ ଗୋଟିଏ ରାଜ୍ୟର ସୃଷ୍ଟି ହେଲା । ଆଜିକାଲି ଯେମିତି ଚୀନ, ଭାରତ, ଋଷ, ଆମେରିକାଭଳି ଅତି ବଡ଼ ବଡ଼ ରାଜ୍ୟଟାମାନ ଅଛି ସେତେବେଳେ ସେଭଳି କେବେହେଲେ ନଥିବ । ଅଳ୍ପ କେତେକ ଅଞ୍ଚଳକୁ ନେଇ ଛୋଟ ଛୋଟ ରାଜ୍ୟଟିମାନ ମୁଣ୍ତଟେକି ଉଠିଥିବେ । ସେହି ରାଜ୍ୟର ଲୋକେ କାହାକୁ ଜଣେ ମୁରବି ବୋଲି ବାଛିଥିବେ ଓ ତା’ର ନାମ ଦିଆଯାଇଛି ରାଜା ।

 

ସେ ସମୟରେ କେହି ନିଜ ଇଚ୍ଛାରେ ରଜା ହୋଇଯାଉନଥିଲା । ସମସ୍ତେ ମତ ଦେଇ ଯାହାକୁ ବାଛୁଥିଲେ ସେହି ହେଉଥିଲା ରାଜା । ଯଦି ନିଜ ଦାୟିତ୍ୱ ତୁଲାଇ ପାରୁନଥିଲା ତାକୁ ବଦଳାଇ ଅନ୍ୟ ଜଣକୁ ରାଜା କରାଯାଉଥିଲା । ରାଜାର ପୁଅ ରାଜାହେବ ବୋଲି ସେ କାଳର ଲୋକେ କେବେହେଲେ ବିଚାରି ନଥିଲେ । ସେତେବେଳର ରାଜାର ରାଜଗୀ ଲୋକଙ୍କ ମର୍ଜି ଉପରେ ନିର୍ଭର କରୁଥିଲା । ତେଣୁ ସେ ତାହାର କର୍ତ୍ତବ୍ୟ ଠିକ୍ ଭାବରେ ପାଳୁଥଲା । ମନଇଚ୍ଛା ଶାସନ କରୁନଥିଲା ।

 

ଲୋକେ ହେଳା କଲେ

 

ଲୋକେ ଯାହାକୁ ବାଛୁଥଲେ ସେ’ତ ରାଜା ହେଉଥିଲା, କିନ୍ତୁ ପଛ ବେଳକୁ “ଲୋକେ ବାଛିବା କାମଟା” ଟିକିଏ ହୁଗୁଳା ଧରିଗଲା । ଆଜିକାଲି ମଧ୍ୟ ଅନେକ ଲୋକଙ୍କ ମୁହଁରୁ ଶୁଣାଯାଏ–“ମୋର କିଏ ଭୋଟଦେବାକୁ ଯାଉଛି’’–ଏତେ ଲୋକତ ଯାଉଛନ୍ତି ଯାହା କରିବେ ହେବ । ସେତେବେଳେ ସେମିତି ଲୋକେ ହେଳା କଲେ । ଏକା ରାଜା ବହୁଦିନ ଧରି ରହିଗଲା । ଅନେକ ଦିନ ରହିବାରୁ ତା’ର ଭୟ ଭାଙ୍ଗିଗଲା, ସେ ଆଉ ଲୋକଙ୍କୁ ଡରିଲା ନାହିଁ । ଦଳେ ଲୋକଙ୍କୁ ହାତରେ ରଖି ଅନ୍ୟମାନଙ୍କୁ ଡରେଇ ହରେଇ ରଖିଲା । ସେ କିଛି ଭଲମନ୍ଦ କଲେ ଦଳବାନ୍ଧି କେହି ତା’ର ପ୍ରତିବାଦ କରିପାରିଲେନାହିଁ । ସବୁ ରାଜା ଯେ ଏପରି କଲେ ଏ କଥା କେହି କହୁ ନାହିଁ । କେତେକ ରାଜା ଭଲ ଶାସନ ଚଳାଇଲେ, ଅନ୍ୟମାନେ ହେଲେ ଅତ୍ୟାଚାରୀ ।

 

ଏହିଭଳି ଭାବରେ ଅନେକ ଦିନ ଧରି ଶାସନ ଚଳିଲା । କିଛିକାଳ ପରେ ଦେଖାଗଲା ଯେ ରାଜାର ପୁଅ ରାଜାହୋଇ ଗଲା । ତା’ର କିଛି ଯୋଗ୍ୟତା ଥାଉ ବା ନ ଥାଉ ତାକୁ ଲୋକେ ରାଜା ବୋଲି ମାନିଲେ । ଅଯୋଗ୍ୟ ରାଜା ତା’ ଚାରିପଟେ ଥିବା କେତେକ ଦୁଷ୍ଟ ଓ ଅତ୍ୟାଚାରୀ ଲୋକଙ୍କ ସାହାଯ୍ୟ ଓ ପରାମର୍ଶରେ ଶାସନ ଚଳାଇଲା । ସେତେବେଳେ ଲୋକଙ୍କ ଦୁର୍ଦ୍ଦଶାର ସୀମା ରହିଲା ନାହିଁ । ଯଦି କେହି ପ୍ରତିବାଦ କରିବାକୁ ବାହାରିଲା ତାକୁ କୁହାଗଲା ‘ବିଦ୍ରୋହୀ’ । ଦେଶର ରାଜା ବିରୁଦ୍ଧରେ ଯାଉଥିବାରୁ ତାହାର ମୁଣ୍ତ କାଟ ହେଲା । ଶେଷକୁ ଏଭଳି ଅବସ୍ଥା ହେଲା ଯେ ଲୋକେ ରାଜାକୁ ଦେବତା ବୋଲି ମନେକଲେ । ରାଜାଙ୍କ ବିରୁଦ୍ଧରେ ଯଦି କେହି କିଛି କହିଲା ଲୋକେ ମଧ୍ୟ ତାକୁ ପାପୀ ବୋଲି ବିଚାରିଲେ । ରାଜା ହେଲା “ଚଳନ୍ତି ବିଷ୍ଣୁ” । ମୋଟ ଉପରେ ରାଜା ହେଲା ଜନ୍ମରୁ ରାଜା–ଲୋକେ ତାକୁ ବାଛିବା କଥାଟା ସମସ୍ତଙ୍କ ମନରୁ ପୋଛି ହୋଇଗଲା । ରାଜପଦ ସହିତ ଲୋକଙ୍କର କିଛି ସମ୍ବନ୍ଧ ରହିଲା ନାହିଁ । ସେଇଟା ହେଲା ରାଜବଂଶର ଘରୋଇ କଥା । ଲୋକଗୁଡ଼ାକ ପାଟି ଫିଟାଇବାକୁ କିଏ ?

 

ଲୋକେ ପାଟି ଫିଟାଇବା ଭୟଟା ମନରୁ ଯେତେବେଳେ ଦୂର ହୋଇଗଲା ସେ ସ୍ୱେଚ୍ଛାଚାରୀ ପାଲଟିଲା । ସେ ଭାବିଲା ତା’ର ସୈନ୍ୟ ବଳ ଥିବା ପର୍ଯ୍ୟନ୍ତ ତା’ର ରାଜଗାଦୀ ନିରାପଦ, ଏଣୁ ଭୟ ଚାଲି ଗଲାରୁ ସେ ବିଳାସ ବ୍ୟସନ ଆଡ଼େ ବେଶି ମନଦେଲା । ଲୋକଙ୍କୁ ନାନା ଉପାୟରେ ଶୋଷଣ କଲା । ଏହି ଅବସ୍ଥା ଅନେକ କାଳ ପର୍ଯ୍ୟନ୍ତ ରହିଲା ।

 

ଅବସ୍ଥା ଯେତେବେଳେ ଅସହ୍ୟ ହେଲା କେତେକ ଦେଶର ଲୋକେ ବିପ୍ଳବ କଲେ । ଲୋକଙ୍କୁ ଚଳାଇବା ପାଇଁ ସାହସୀ ବୀର ବାହାରି ପଡ଼ିଲେ । ପୃଥିବୀର ଅନେକ ଅଞ୍ଚଳରେ ଲୋକେ ନିଜ ବାହୁ ବଳରେ ରାଜାଙ୍କୁ ଗାଦିରୁ ତଡ଼ି ନୂଆ ରାଜା ବସାଇଲେ । ବିଲାତ ପରି ରାଜଭକ୍ତ ଦେଶରେ ମଧ୍ୟ ଜଣେ ରାଜାଙ୍କର ମୁଣ୍ତ କାଟ ହୋଇଗଲା । ଫରାସୀ ଦେଶରେ ବିପ୍ଳବ ହେଲା ।

 

ଲୋକେ ନୂଆ କଥା ଭାବିଲେ

 

ଜଣେ ରାଜାକୁ ତଡ଼ି ଆଉ ଜଣକୁ ବସାଇ ଦେଲେ ଲୋକଙ୍କର ରାଗ ଥଣ୍ତା ପଡ଼ିଗଲା ସିନା, ଅଶାନ୍ତିର ମୂଳ କାରଣ ଦୂରହେଲା ନାହିଁ । ଆଜି ଯେ ଭଲ ବୋଲି ଜଣାପଡ଼ୁଥିଲା କାଲିକି ଦେଖିଲା ବେଳକୁ ସେ ଅତ୍ୟାଚାରୀ ପାଲଟିଲାଣି । ତା’ହେଲେ ଏତେ ପରିଶ୍ରମ କରି, ଏତେ କଷ୍ଟ ସହି, ଏତେ ତ୍ୟାଗ କରି ନୂଆ ରାଜା ବାଛିଲେ ଲାଭ କ’ଣ ? ଖୁବ୍ ସ୍ପଷ୍ଟଭାବରେ ନ ହେଲେ ମଧ୍ୟ ଲୋକଙ୍କ ମୁଣ୍ତରେ ଗୋଟାଏ କଥା ପଶିଲା । ଯେତେଦିନ ପର୍ଯ୍ୟନ୍ତ ଜଣକ ହାତରେ କ୍ଷମତା ରହିବ ସେ ଏହିଭଳି ଗଣ୍ତଗୋଳ କରୁଥିବ–ଏହି କଥାଟି ଅଳ୍ପେ ବହୁତେ ବୁଝିଗଲାରୁ ଲୋକେ କୁହାକୁହି ହେଲେ–“ଆଉ କାହାକୁ ରାଜାବୋଲି ବାଛିବା ନାହିଁ । ଯେଡ଼େ ଭଲ ଲୋକ ହେଉ ପଛକେ ସବୁ କ୍ଷମତା ଜଣକ ହାତରେ ରହିଲେ ଦିନେ ନା ଦିନେ ବିପଦ ଆସିବ । ଲଗାମ ନଥିବା ଘୋଡ଼ା ଉପରେ ଚଢ଼ିବ ନାହିଁ କି ଅଙ୍କୁଶ ନଥିବା ରାଜା ଅଧିନରେ ରହିବ ନାହିଁ । କିନ୍ତୁ ରାଜାକୁ ତଡ଼ି ଦେଲା ପରେ ରାଜ୍ୟ ଶାସନ କରିବ କିଏ ? ସମସ୍ତେ ସ୍ୱାଧୀନ ହୋଇଗଲେ ତ ଦେଶଟା ବିଭ୍ରାଟ ହୋଇଯିବ । ରାଜା ଯେଉଁ କାମ କରୁଥିଲେ ସେ କାମଟା ଚଳିବ କେମିତି–ଏଇ ହେଲା ଚିନ୍ତାର ବିଷୟ ।

 

ଗଣତନ୍ତ୍ର ଅର୍ଥ ସମସ୍ତଙ୍କ ଶାସନ

 

ଉପରେ ଯେତେ ଯେତେ ପରିବର୍ତ୍ତନର କଥା କୁହାଗଲା ସେଗୁଡ଼ିକ ଅଳ୍ପ କେତେଟା ବର୍ଷ ଭିତରେ ହୋଇଗଲା ବୋଲି ବିଚାରିଲେ ଭୁଲ ହେବ । କୌଣସି ରାଜା ନରଖି କିଭଳି ରାଜ୍ୟ ଶାସନ ହେବ–ଏହି ଚିନ୍ତା ମଣିଷ ମନକୁ ଆସିବା ପାଇଁ ବହୁଶହ ବର୍ଷ ନିଶ୍ଚୟ ଲାଗିଥିବ ।

 

ମଣିଷ ଜାତିର ସୈଭାଗ୍ୟକୁ କେତେକ ଚିନ୍ତାଶୀଳ ଲୋକ ଭାବିଚିନ୍ତି ଗୋଟାଏ ସିଦ୍ଧାନ୍ତରେ ପହଞ୍ଚିଗଲେ । ସେମାନେ ଏହି କଥା କହିଲେ–ଜଣେ କାହିଁକି ରାଜା ହେବ ? ସମସ୍ତେ ହେବେ ରାଜା । ଜଣେ କାହିଁକି ଶାସନ କରିବ ? –ସମସ୍ତେ ଶାସନ କରିବେ । ଜଣକ ହାତରେ କ୍ଷମତା ନ ରହି ସମସ୍ତଙ୍କ ହାତରେ ରହିବ । ଯେଉଁ ଲୋକ ଶାସନ କରୁଛି–ରାଜ୍ୟ ଚଳାଉଛି ସେ କାହିଁକି ଭାବୁଛି ଯେ ନିଜ ବଳରେ ଶକ୍ତିରେ ସେ ବଳୀୟାନ । ସମସ୍ତଙ୍କ ଶକ୍ତି ଓ ବଳ ତା’ ପଛରେ ଅଛି ବୋଲି ସେ ରାଜା ହୋଇଛି, ଅଥଚ ଭାବିନେଉଛି ଯେ ତାହାରି ବଳରେ ସେ ବଳୀୟାନ । ନାଁ, ଏଣିକି ସମସ୍ତେ ରାଜ୍ୟ ଚଳାଇବେ–ସମସ୍ତେ ଶାସନ ଚଳାଇବେ ।

 

ଏହିଚିନ୍ତା–ଏହିଭାବନାରୁ “ଡିମୋକ୍ରାଟ୍” ଶବ୍ଦର ସୃଷ୍ଟିହେଲା ଗ୍ରୀକ୍ ଭାଷାରେ “ଡିମୋ” Demos ଶବ୍ଦର ଅର୍ଥ ‘ଲୋକମାନେ’ । ଓ ‘କ୍ରାଟୋ’ Krato ଶବ୍ଦର ଅର୍ଥ ବଳ ବା ଶକ୍ତି । ଲୋକମାନଙ୍କର ବଳରେ ଯେ ବଳୀୟାନ ସେହି ହେଲା “ଡିମୋକ୍ରାଟ୍ ।” ‘ଗଣ’ ଶବ୍ଦର ଅର୍ଥ ସମସ୍ତେ । ‘ଗଣ’ଙ୍କ ‘ତନ୍ତ୍ର’ ଅର୍ଥାତ୍ ‘‘ସମସ୍ତଙ୍କ ଶାସନ”ର ନାମ ହେଲା ଗଣତନ୍ତ୍ର ।

 

ଯେ ଡିମୋକ୍ରାଟ ବା ଗଣତନ୍ତ୍ର ବାଦୀ ତା’ର ବିଶ୍ୱାସ ଯେ ସମସ୍ତଙ୍କ ବଳରେ ବଳୀୟାନ ହୋଇ ସେ ଶାସନ ଚଳାଇଛି । ସମସ୍ତେ ଯଦି ତାକୁ ଶକ୍ତିଶଳୀ ବା ବଳଶାଳୀ ନ କରିବେ ସେ ମୁହୂର୍ତ୍ତକ ପାଇଁ ସୁଦ୍ଧା ଶାସନ ଚଳାଇ ପାରିବ ନାହିଁ । ଶ୍ରୀକୃଷ୍ଣଙ୍କ “କଳା” ଥିବାରୁ ଅର୍ଜ୍ଜୁନ ଗାଣ୍ତିବ ଧନୁ ଧରି ଯୁଦ୍ଧ କରୁଥିଲା ଓ ପୃଥିବୀରେ ତ୍ରିଭୁବନ ବିଜୟୀ ବୀର ବୋଲି ନାମ ପାଇଥିଲା । ଯେତେବେଳେ ଅର୍ଜ୍ଜୁନଙ୍କଠୁ ଭଗବାନ ଶ୍ରୀକୃଷ୍ଣ କଳା କାଢ଼ିନେଲେ ସେ ଗାଣ୍ତିବ ଧନୁରେ ଯୁଦ୍ଧ କରିବା ତ ଦୂରର କଥା–ତାକୁ ତଳୁ ମଧ୍ୟ ଉଠାଇ ପାରିଲେ ନାହିଁ । ଯେ ଗଣତନ୍ତ୍ର ବାଦୀ ସେ ମଧ୍ୟ ସେହିଭଳି ବିଶ୍ୱାସ କରେ ଯେ ଲୋକଙ୍କ ବଳରେ ସେ ବଳୀୟାନ–ଲୋକେ ଯଦି ତା’ଠୁଁ ବଳ କାଢ଼ିନେବେ ସେ ଶକ୍ତିହୀନ ହୋଇଯିବ । “ଡିମୋକ୍ରାଟ୍”ର ଓଲଟା ହେଲା ‘‘ଅଟୋକ୍ରାଟ୍” ‘ଅଟୋ’ ଶବ୍ଦର ଅର୍ଥ ‘‘ନିଜେ” । ଯେ ବିଚାରୁଛି ନିଜବଳରେ ସେ ବଳୀୟାନ ତାକୁ କୁହାଗଲା ‘‘ଅଟୋକ୍ରାଟ୍” ବା ଏକଛତ୍ରବାଦୀ । ଚିନ୍ତାଶୀଳ ଲୋକେ ସ୍ଥିରକଲେ ଯେ ମଣିଷ ସମାଜରେ ଏକଛତ୍ର ଶାସନ ନ ଚାଲି ଗଣତନ୍ତ୍ର ଶାସନହିଁ ଚାଲିବ । ସମସ୍ତଙ୍କ ମତ ନେଇ ରାଜ୍ୟର ସବୁ କାମ ହେବ ବୋଲି ସ୍ଥିର ହେଲା ।

 

ପ୍ରତିନିଧି

 

ତେଣିକି ପ୍ରଶ୍ନ ଉଠିଲା–ପ୍ରତି କଥାରେ ସମସ୍ତଙ୍କ ମତନେବା ସମ୍ଭବ ହେବ କିପରି–ସୁବିଧା ହେବ କିପରି । ସ୍ଥିର ହେଲା ଯେ ରାଜ୍ୟର ଲୋକେ ଅଳ୍ପ କେତେ ଜଣଙ୍କୁ ବାଛି ଦେବେ । ସେଇମାନେ ହେବେ ଲୋକଙ୍କ ବଦଳିଆ, ଅର୍ଥାତ୍ ଲୋକଙ୍କ ଅନୁପସ୍ଥିତିରେ ସେମାନଙ୍କ ତରଫରୁ କାମ କରିବେ । ସେଇମାନଙ୍କୁ “ପ୍ରତିନିଧି” ବୋଲି କୁହାଯିବ । ପ୍ରତିନିଧିମାନେ ଏକାଠି ବସି ଯାହା ସ୍ଥିର କରିବେ ସେଇଟା ସମସ୍ତଙ୍କର ମତ ବୋଲି ଧରାଯିବ । ଗୋଟିଏ ରାଜ୍ୟରେ ଶହେଲକ୍ଷ ଲୋକ ଅଛନ୍ତି–ପ୍ରତି ଲକ୍ଷେ ଲୋକ ଜଣେ ଜଣେ ପ୍ରତିନିଧି ବାଛିଲେ ଶହେ ଜଣ ପ୍ରତିନିଧି ବଛା ହେବେ । ସେହିମାନେ ଦେଶର ଶାସନ କାମ ଲୋକଙ୍କ ତରଫରୁ ଚଳାଇବେ ।

 

ନିର୍ବାଚନ

 

ଏହି ପ୍ରତିନିଧିମାନଙ୍କୁ କିପରି ବଛା ଯିବ ? ଲୋକଙ୍କର କିଏ ବଦଳିଆ ହେବ ତାହା କିଭଳି ସ୍ଥିର କରାଯିବ ? ଲୋକେ ଗୋଟିଏ ସ୍ଥାନରେ ଏକାଠି ହୋଇ ନିଜର ମତ ଜଣାଇବେ–କିଏ ସେମାନଙ୍କର ପ୍ରତିନିଧି ହେବ । ଏହି ମତ ଜଣାଇବା କାମଟାକୁ ‘‘ନିର୍ବାଚନ” ବୋଲି କୁହାଗଲା । ନିର୍ବାଚନ ଅର୍ଥ ହେଲା ଅନେକଙ୍କ ଭିତରୁ ଜଣକୁ ଠିକ୍ କରିବା । ଯେଉଁ ଲୋକକୁ ଲୋକେ ମତ ଦେଇ ନିର୍ବାଚନ କରନ୍ତି ତାଙ୍କୁ “ନିର୍ବାଚିତ ପ୍ରତିନିଧି” ବୋଲି କୁହାଗଲା ।

 

ଆଇନ ସଭା

 

ନିର୍ବାଚିତ ପ୍ରତିନିଧିମାନେ ଯେଉଁଠି ବସି ଆଲୋଚନା କରି ଆଇନ ଆଦି କରନ୍ତି ସେ ସ୍ଥାନ ବା ଅନୁଷ୍ଠାନଟିକୁ ଆଇନ-ସଭା ବା ବିଧାନସଭା ବୋଲି କୁହାଗଲା । ଆଜି ଭିନ୍ନ ଭିନ୍ନ ଦେଶରେ ଆଇନ ସଭାକୁ ପାର୍ଲାମେଣ୍ଟ, ଆସେମ୍ବ୍ଲି, କାଉନ୍‍ସିଲ, କଂଗ୍ରେସ, ଡାଏଟ୍, ଲୋକସଭା, ରାଜ୍ୟସଭା ଇତ୍ୟାଦି ବୋଲି କହୁଛନ୍ତି । ବର୍ତ୍ତମାନ ପୃଥିବୀରେ ପ୍ରାୟ ପ୍ରତ୍ୟେକ ସଭ୍ୟ ଦେଶରେ ଗଣତନ୍ତ୍ର ଶାସନ ଚାଲିଛି । ଯେଉଁଠି ବା ନ ଚାଲିଛି ସେଠାକାର ଲୋକେ ମଧ୍ୟ ଗଣତନ୍ତ୍ର ନୀତିରେ ଶାସନ ଚାଲିଛି ବୋଲି ଅନ୍ୟମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି । ଲୋକେ କ୍ରମେ ଯେତେ ଅଧିକ ସଭ୍ୟ ହେଉଛନ୍ତି, ଶିକ୍ଷିତ ହେଉଛନ୍ତି ଗଣତନ୍ତ୍ରର ପ୍ରକୃତ ଅର୍ଥ ସେତିକି ବେଶି ବେଶି ଜାଣିପାରୁଛନ୍ତି । ଗଣତନ୍ତ୍ର ଶାସନ ଓ ଏକଛତ୍ର ଶାସନ ଭିତରେ ପ୍ରଭେଦ କ’ଣ ସେ କଥା ଲୋକେ ଅଧିକରୁ ଅଧିକ ଅନୁଭବ କଲେଣି ।

 

ଭୋଟ

 

ଲୋକଙ୍କ ମତକୁ ଭୋଟ ବୋଲି କୁହାଗଲା । ଭୋଟ ଅର୍ଥ ହେଲା ‘ମତ’ ବା ‘ଇଚ୍ଛା’ । ଲାଟିନ୍‍ ଭାଷାରେ ‘ଭୋଟମ୍’ ଶବ୍ଦର ଅର୍ଥ ‘‘ଇଚ୍ଛା”। ଲୋକେ ଯାହାକୁ ଭୋଟ ଦେବେ ଅର୍ଥାତ୍‍ ଯାହାକୁ ଇଚ୍ଛା କରିବେ ସେହି ହେବ ସୋମାନଙ୍କର ପ୍ରତିନିଧି । ପ୍ରଥମେ ପ୍ରଥମେ ଯେତେବେଳେ ଗଣତନ୍ତ୍ର ଶାସନ ଚାଲିଲା ସବୁ ବୟସ୍କ ବା ସାବାଳକ ଲୋକଙ୍କ ମତ ପଚରାଗଲା ନାହିଁ । ଯେଉଁମାନଙ୍କର ବୁଦ୍ଧି ସୁଦ୍ଧି ଅଛି, ପାଠ ଶାଠ ପଢ଼ିଛନ୍ତି, ସମତ୍ତି ବାଡ଼ି ଅଛି–ସେହିମାନଙ୍କ ମତ ଜନସାଧାରଣଙ୍କ ମତ ବୋଲି ଧରି ନିଆଗଲା । ସମସ୍ତଙ୍କୁ ଭୋଟ ଅଧିକାର ନ ମିଳି ଅଳ୍ପ କେତେକଙ୍କୁ ମିଳିବାରୁ ସେହିଟାକୁ ‘ସୀମାବଦ୍ଧ’ ଭୋଟ ଅଧିକାର ବୋଲି କୁହାଗଲା । ‘ସୀମାବଦ୍ଧ’ ଭୋଟ ଅଧିକାର ସପକ୍ଷରେ ଯୁକ୍ତି କରାଗଲା ଯେ ସମସ୍ତେ କିଛି ଶିକ୍ଷିତ ନୁହନ୍ତି, ସମସ୍ତଙ୍କର ଭଲମନ୍ଦ ବିଚାର କରିବାର ଶକ୍ତି ନାହିଁ । ତେଣୁ ସେମାନେ ଯୋଗ୍ୟ ଲୋକ ବାଛିବା ସମ୍ଭବ ନୁହେଁ । ଭୋଟଦେବା ଲୋକର ଯଦି ବୁଝିବା ସୁଝିବା ଶକ୍ତି ନ ଥାଏ ସେ ଯୋଗ୍ୟ ଲୋକ ବାଛିବ କିପରି ? ଯୋଗ୍ୟ ଲୋକ ଆଇନ ସଭାକୁ ନ ଗଲେ ଦେଶରେ ଭଲ ଶାସନ ଚାଲିବ ନାହିଁ ।

 

କିନ୍ତୁ ଅନ୍ୟମାନେ ଯୁକ୍ତି କଲେ ଯେ ଯେଉଁମାନଙ୍କର ଧନ ସମ୍ପତ୍ତି ଅଛି, ପାଠ ପଢ଼ିଛନ୍ତି କେବଳ ସେହିମାନଙ୍କୁ ଭୋଟ ଅଧିକାର ଦେଲେ ଧନୀ ଓ ପାଠୁଆ ଲୋକେହିଁ ଶାସନ ଚଳାଇବେ । କୋଟି କୋଟି ଗରିବ ନିର୍ଦ୍ଧନ ଲୋକଙ୍କର ଶାସନରେ କୌଣସି ହାତ ରହିବ ନାହିଁ । ସମ୍ପତ୍ତିବାଲା, ଇଂରାଜୀ ପଢ଼ୁଆ ଲୋକେ ନିଜର ସୁବିଧା ହେଲାଭଳି ଆଇନ ତିଆରି କରିବେ–ଗରିବ ଲୋକଙ୍କର ଭଲମନ୍ଦ ହୁଏତ ବୁଝିବେ ନାହିଁ । ଯେଉଁମାନେ ପାଠ ପଢ଼ିଛନ୍ତି ବା ସମ୍ପତ୍ତି ଅର୍ଜିଛନ୍ତି କେବଳ ସେହିମାନେହିଁ ଯେ ଯୋଗ୍ୟ ଲୋକ ବାଛିବେ ଏପରି ବିଚାରିବାର କାରଣ ନାହିଁ ବୋଲି ଯୁକ୍ତି କରାଗଲା । ପାଠୁଆ ଲୋକେ ଅନେକ ସମୟରେ ଅଯୋଗ୍ୟ ଲୋକଙ୍କୁ ଭୋଟ ଦେଉଛନ୍ତି ବୋଲି ପ୍ରମାଣ କରି ଦେଖାଇ ଦିଆଗଲା । ଅନେକ ଯୁକ୍ତି ତର୍କ, କଳିଗୋଳ, ଲଢ଼େଇ ଭିଡ଼େଇ ପରେ ଆଜି ପୃଥିବୀର ଅନେକ ଦେଶରେ ସାବାଳକ ଲୋକ ଭୋଟ ଅଧିକାର ପାଇଛି । ଆମ ଦେଶରେ ଏକୋଇଶି ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ଲୋକ ଭୋଟ ଦେଇପାରୁଛି–ସେ ବଡ଼ଲୋକ ହେଉ ବା ଗରିବ ହେଉ, ମୂର୍ଖ ହେଉ ବା ପାଠୁଆ ହେଉ । କୋଟିପତିର ଗୋଟିଏ ଭୋଟ–ଦାଣ୍ତର ଭିକାରୀର ମଧ୍ୟ ସେହି ଗୋଟିଏ ଭୋଟ । ଏମ୍.ଏ ପାସ୍‍ କରିଥିବା ଲୋକର ଗୋଟିଏ ଭୋଟ–ମୋଟେ ଅକ୍ଷର ଚିହ୍ନି ନଥିବା ଲୋକର ସେହି ଗୋଟିଏ ଭୋଟ ।

 

ଗଣତନ୍ତ୍ର ଶାସନରେ ଲୋକଙ୍କ ହାତରେ କ୍ଷମତା ରହିଲା । ସେମାନେ ଯାହାକୁ ଭୋଟ ବା ମତ ଦେବେ ସେହି ହେବ ତାଙ୍କର ପ୍ରତିନିଧି ଓ ସେହି ପ୍ରତିନିଧି ସେମାନଙ୍କ ତରଫରୁ ଶାସନ ଚଳାଇବ । ଲୋକେ ଯଦି ଭଲ, ଦକ୍ଷ ଓ ଯୋଗ୍ୟ ପ୍ରତିନିଧି ବାଛିବେ ଶାସନ ଭଲଭାବରେ ଚଳିବ, ସେମାନେ ସୁଖ ଶାନ୍ତିରେ ରହିବେ–ଯଦି ଅଯୋଗ୍ୟ ଓ ଖରାପ ପ୍ରତିନିଧି ବାଛିବେ ତେବେ ଶାସନ ଭଲଭାବରେ ଚଳି ପାରିବ ନାହିଁ ଓ ଲୋକ ସୁଖ ଶାନ୍ତିରେ ରହି ପାରିବେ ନାହିଁ ।

 

ଜଣେ ହୁଏତ ଭାବିବ ଯେ ଗଣତନ୍ତ୍ର ଶାସନରେ ଲୋକର ଦାୟିତ୍ୱ ଖୁବ୍ କମ୍ । ସେ ଥରେ ଭୋଟ ଦେଇ ସଚ୍ଚୋଟ ଓ ଯୋଗ୍ୟ ପ୍ରତିନିଧିଟିଏ ବାଛିଦେଲେ କାମ ଶେଷ । ତେଣିକି ସେହି ପ୍ରତିନିଧିମାନେ ଭଲଭାବରେ ଶାସନ ଚଳାଇବେ । କିନ୍ତୁ ପ୍ରକୃତରେ କଥାଟା ଏତେ ସହଜ ନୁହେଁ । ପ୍ରତିନିଧି ବାଛିବାଟା ଯେତେ ସହଜ ବୋଲି ଆମେ ବିଚାରୁଛୁଁ ପ୍ରକୃତରେ ସେତେ ସହଜ ନୁହେଁ । ଯେଉଁ ଦେଶରେ ଲୋକେ ପାଠଶାଠ ପଢ଼ିଛନ୍ତି, ଦୁନିଆର କଥା ବୁଝନ୍ତି, ଖବର କାଗଜ ପଢ଼ନ୍ତି, ଗଣତନ୍ତ୍ର ଶାସନର ମର୍ଯ୍ୟାଦା ବୁଝନ୍ତି ସେ ଦେଶର ଲୋକେ ଉପଯୁକ୍ତ ପ୍ରତିନିଧି ବାଛନ୍ତି । ଆମ ଦେଶରେ ଅବସ୍ଥା ତା’ ନୁହେଁ । ଆମ ଦେଶର କୋଟି କୋଟି ଲୋକ ପାଠ ପଢ଼ିନାହାନ୍ତି । ଖବରକାଗଜ ପଢ଼ନ୍ତି ନାହିଁ ଦୁନିଆରେ କେଉଁଠି କ’ଣ ଘଟିଯାଉଛି ତା’ର ଖବର ଜାଣନ୍ତି ନାହିଁ । ଫଳରେ ଗଣତନ୍ତ୍ର ଶାସନର ମର୍ଯ୍ୟାଦା ବୁଝନ୍ତି ନାହିଁ । ତା’ ନ ବୁଝୁଥିବାରୁ ପ୍ରତିନିଧି ବାଛିବାବେଳେ ସବୁସମୟରେ ସାବଧାନ ହୁଅନ୍ତି ନାହିଁ ବା ଆଗ୍ରହ ପ୍ରକାଶ କରନ୍ତି ନାହିଁ । ଫଳରେ ଶାସନଟିକୁ ବିଗାଡ଼ି ଦିଅନ୍ତି । ଲୋକଙ୍କ ଭିତରେ ପ୍ରକୃତ ଶିକ୍ଷାର ପ୍ରସାର ନ ହେଲେ ଗଣତନ୍ତ୍ର କାର୍ଯ୍ୟକାରୀ ହୋଇ ପାରିବ ନାହିଁ ।

 

କଥାଟା ଭଲଭାବରେ ବୁଝିବା ପାଇଁ ଆମେ କେତୋଟି ବିଷୟର ଆଲୋଚନା କରିବା । ପ୍ରଥମେ ଦେଖିବା ପ୍ରତିନିଧି ବା ଆଇନ ସଭାର ସଭ୍ୟମାନଙ୍କର କାମ ଓ କ୍ଷମତା କ’ଣ । ‘ଆଇନସଭା’–ନାମଟିରୁ ଜଣାଯାଉଛି ଯେ ଦେଶର ଯାବତୀୟ ଆଇନ ସେଇଠି ତିଆରି ହେବ । ଖଜଣା ଟିକସ କେତେ ହେବ, ଧାନଚାଉଳ ଲୁଗାପଟା ଭାଉ କ’ଣ ହେବ, ସେଲଟିକସ ବସିବ କି ନାହିଁ ଠାରୁ ଆରମ୍ଭ କରି ମଣିଷ ମାରିଲେ ଫାସୀ ହେବ କି କେବଳ ଜେଲ ହେବ, କେତେବର୍ଷର ଝିଅକୁ ବିବାହ ଦିଆଯିବା ଭଳି ଯାବତୀୟ କଥା ଆଇନ ସଭାରେ ପଡ଼ି ଠିକ୍ ହୁଏ । ମନୁଷ୍ୟ ବଞ୍ଚିବା ଯାଏ ସମାଜରେ ରହିଥିବାଯାଏ ଦେଶର ଆଇନକାନୁନ ମାନି ତାକୁ ଚଳିବାକୁ ହେବ । ଲୁଗା ନ ମିଳିଲେ ସେ କହିପାରିବନାହିଁ ଯେ ‘ମୁଁ ଲଙ୍ଗଳା ହୋଇ ବୁଲିବି’ । କାରଣ ଆଇନ ଅଛି ଯେକୌଣସି ଲୋକ ଲଙ୍ଗଳା ହୋଇ ବୁଲିଲେ ତାକୁ ଜେଲଖାନାରେ ପୂରାଇ ଦିଆଯିବ । ଖାଇବାକୁ ନ ମିଳିଲେ କେହି କହି ପାରିବ ନାହିଁ ଯେ ସେ ଦଉଡ଼ି ଲଗାଇ ଦେଇ ବା ବିଷ ଖାଇ ଆତ୍ମହତ୍ୟା କରିଦେବ । ଆଇନ ଅଛି ଯେ କେହି ଆତ୍ମହତ୍ୟା କରିବାକୁ ଗଲେ ତାକୁ କଠିନ ଦଣ୍ତ ମିଳିବ । ଖାଇବାକୁ ନ ମିଳିଲେ ଭିକ ମାଗିବା ମଧ୍ୟ ସହଜ ନୁହେଁ । ଅନେକ ଦେଶରେ ଆଇନ ଅଛି ‘ଭିକ ମାଗିବା ଅପରାଧ’–ଆମ ଦେଶରେ ମଧ୍ୟ ସେହିଭଳି ଆଇନ ହେବାକୁ ଯାଉଛି । ଜଣେ କହି ପାରିବ ନାହିଁ ଯେ ଯୁଦ୍ଧରେ ମଣିଷ ମାରିବାକୁ ହୁଏ–ମୁଁ ଭାବୁଛି ମଣିଷ ମାରିବା ଅଧର୍ମ କାମ, ଅତଏବ ମୁଁ ସୈନ୍ୟ ତାଲିକାରେ ନାମ ଲେଖାଇବି ନାହିଁ । ଯେଉଁ ଦେଶରେ ଯୁଦ୍ଧବିଦ୍ୟା ଶିଖି ଦରକାର ହେଲେ ସୈନ୍ୟ ସାଜିବାକୁ ପ୍ରତ୍ୟେକ ଲୋକ ବାଧ୍ୟ, ସେ ଦେଶରେ ଏଭଳି କହିବା ଲୋକକୁ ଧରିନେଇ ଜେଲରେ ଭର୍ତ୍ତି କରିଦିଆଯାଏ । ଅନେକ ଦେଶରେ ତ ପୁଣି ଆଇନ ଅଛି ଯେ ତମର ଦୋଷ ଅଛି କି ନାହିଁ ପରେ ବିଚାର ହେବ ପଛକେ–ମାଜିଷ୍ଟ୍ରେଟ ତମକୁ ବିନାବିଚାରରେ ଜେଲରେ ଠୁଙ୍କିଦେଇପାରିବେ । ଆଇନ ସଭାରେ ଭଲ ଆଇନ ଅର୍ଥାତ୍‍ ଲୋକଙ୍କର ଉପକାର ହେଲାଭଳି ଆଇନ ହୋଇପାରିବ, ଲୋକଙ୍କର ଅପକାର ବା କ୍ଷତି ହେଲାଭଳି ଆଇନ ମଧ୍ୟ ହୋଇପାରିବ । ସବୁ କଥା ନିର୍ଭର କରେ ଲୋକଙ୍କ ପ୍ରତିନିଧି ବା ଆଇନ ସଭା ସଭ୍ୟଙ୍କ ଉପରେ । ଏକଛତ୍ର ଶାସନରେ ବା ରାଜ ଶାସନରେ ଜଣେ ରାଜା ଶାସନ କରୁଥିଲେ, ଆଇନ ତିଆରି କରୁଥିଲେ; ଗଣତନ୍ତ୍ର ଶାସନରେ ଶହେଜଣ ପ୍ରତିନିଧି ଶାସନ କରିବେ–ଆଇନ ତିଆରି କରିବେ । ଆମ ଓଡ଼ିଶାରେ ୨୫ ଜଣ ‘ରାଜା’ ଥିଲେ–ଏଣିକି ୧୪୦ ଜଣ ‘ରାଜା’ ହେବେ । ପ୍ରଭେଦ ହେଉଛି ସେ ୨୫ ରାଜାଙ୍କୁ ଲୋକେ ବାଛୁନଥିଲେ–ୟେ ୧୪୦ ଜଣ ଲୋକପ୍ରତିନିଧି ବା “ରାଜା”ଙ୍କୁ ଲୋକେ ବାଛିବେ । ମୋଟ ଉପରେ ଲୋକେ ଥରେ ପ୍ରତିନିଧି ବାଛିଦେଲେ ପାଞ୍ଚବର୍ଷ ପର୍ଯ୍ୟନ୍ତ ଆମ ବେକ ଓ ଛୁରୀ ସବୁ ଦିଆଗଲା ପ୍ରତିନିଧିଙ୍କ ହାତରେ ।

 

ଯେଉଁ ପ୍ରତିନିଧିଙ୍କର ଏତେ କ୍ଷମତା ସେମାନେ କିଭଳି ବଛାଯାନ୍ତି ବା ନିର୍ବାଚିତ ହୁଅନ୍ତି ଆମେ ଦେଖିବା । କଟକ ସହରରୁ ଆଇନ ସଭାକୁ ଜଣେ ପ୍ରତିନିଧି ଯିବେ । କଟକର ଲୋକ ସଂଖ୍ୟା ପ୍ରାୟ ଏକଲକ୍ଷ । ତାଙ୍କ ଭିତରୁ ଭୋଟର ହୋଉଛନ୍ତି ୫୦ ହଜାର । ପ୍ରତିନିଧି ହେବାକୁ ହେଲେ ପ୍ରଥମେ ଦରଖାସ୍ତ କରିବାକୁ ହୁଏ । କେଉଁ ତାରିଖ ଓ କେତେ ସମୟ ପର୍ଯ୍ୟନ୍ତ ଦରଖାସ୍ତ ନିଆଯିବ ସେ କଥା ଆଗରୁ ଜଣାଇ ଦିଆଯାଇଥାଏ । ଏକଥା ହୋଇପାରେ ଯେ କେବଳ ଜଣେ ଲୋକ ଦରଖାସ୍ତ ଦେଲା, ଅର୍ଥାତ୍ ପ୍ରତିନିଧି ହେବା ପାଇଁ ପ୍ରାର୍ଥୀପତ୍ର ଦାଖଲ କଲା । ତାହା ହେଲେ ଆଉ ଭୋଟ ହେବ ନାହିଁ । ସେହି ହେଲା ପ୍ରତିନିଧି ବା ଆଇନ ସଭାର ସଭ୍ୟ । ସେ ଭଲ ଲୋକ ହୋଇଥାଉ ବା ଖରାପ ଲୋକ ହୋଇଥାଉ–ଆଉ କାହାରି କହିବାର କିଛି ନ ଥିବ । ଜଣେ ସୁଦ୍ଧା ଭୋଟର ତାକୁ ଭୋଟ ନ ଦେଇଥିଲେ ମଧ୍ୟ ସେ ୫୦ ହଜାର ଭୋଟରଙ୍କ ଦ୍ୱାରା ବଛା ଯାଉଛି ବା ନିର୍ବାଚିତ ହୋଇଛି ବୋଲି ଧରାଯିବ । ଆମେ ଭୋଟ ଦେଇନାହୁଁ–ସେ ଆମ ପ୍ରତିନିଧି ନୁହେଁ ବୋଲି ଯୁକ୍ତି କଲେ ଆଉ ଚଳିବ ନାହିଁ ।

 

ଜଣେ ନ ହୋଇ ରାମ ଓ ଗୋପାଳ ଦୁଇଜଣ ପ୍ରାର୍ଥୀପତ୍ର ଦାଖଲ କଲେ । ଭୋଟ ନିଆଗଲା । ରାମ ଅସତ୍ ଲୋକ, ଅଯୋଗ୍ୟ ଲୋକ ଗୋପାଳ ସତ୍‍ ଲୋକ ଓ ଯୋଗ୍ୟ ଲୋକ । ଭୋଟଦିନ ଦେଖାଗଲା ଯେ ୫୦ ହଜାର ଭୋଟରଙ୍କ ଭିତରୁ କେବଳ ହଜାରେ ଜଣ ଭୋଟଦେବାକୁ ଆସିଛନ୍ତି । ଗୋପାଳ ସପକ୍ଷରେ କଟକ ସହରର ୪୯ ହଜାରରୁ ଅଧିକ ଭୋଟରଙ୍କ ମତ, ରାମ ସପକ୍ଷରେ ହଜାରକରୁ କମ୍ ଭୋଟରଙ୍କ ମତ । ରାମ ତା’ସପକ୍ଷରେ ଥିବା ଲୋକଙ୍କ ଭିତରୁ ୮୦୦ ଜଣଙ୍କୁ ଡାକି ଆଣିଛି–ଗୋପାଳ ପକ୍ଷର ଭୋଟରଙ୍କଭିତରୁ କେବଳ ୨୦୦ ଜଣ ଆସିଛନ୍ତି । ଭୋଟ ଗଣତି ହେଲା ବେଳେ ଦେଖାଗଲା ଯେ ରାମ ପାଇଲା ୮୦୦, ଗୋପାଳ ପାଇଲା ୨୦୦ ଭୋଟ । ରାମ ହେଲା କଟକ ସହରରେ ୫୦ ହଜାର ଭୋଟର ବା ଲକ୍ଷେ ଲୋକଙ୍କ ପ୍ରତିନିଧି । ଗୋପାଳ ସପକ୍ଷରେ ଲୋକମତ ନାହିଁ ବୋଲି ଜଣାପଡ଼ିଲା । ହଜାରେ ଲୋକ ନଆସି କେବଳ ତିନିଜଣ ଲୋକ ଆସିଥିଲେ ମଧ୍ୟ ଦୁଇଜଣଙ୍କ ଭୋଟରେ ରାମ ପ୍ରତିନିଧି ବୋଲି ଆଇନ ସଭାକୁ ଚାଲିଯିବ ।

 

ରାମ ଆଇନ ସଭାକୁ ଗଲା । ଓଡ଼ିଶାର ଭିନ୍ନ ଭିନ୍ନ ଅଞ୍ଚଳରୁ ରାମ ଭଳି ଅନେକ ପ୍ରତିନିଧି ଆସିଗଲେ । ସେମାନେ ସ୍ୱାର୍ଥପର ଓ ଅସତ୍ ଲୋକ ହୋଇଥିବାରୁ ଏଭଳି ଆଇନକାନୁନ କଲେ ଯେ ଓଡ଼ିଶାର ଲକ୍ଷ ଲକ୍ଷ ଲୋକେ ଖାଇବାକୁ ପାଇଲେ ନାହିଁ କି ପିନ୍ଧିବାକୁ ପାଇଲେ ନାହିଁ । ଅଳ୍ପ କେତେକ ଲୋକ ଅସତ୍ ଉପାୟରେ ପଇସା ଠୁଳ କଲେ । ସେମାନଙ୍କୁ ଆଇନ ବାଧାତ ଦେଲା ନାହିଁ ବରଂ ସାହାଯ୍ୟ କଲା । ଅନ୍ୟମାନେ କେବଳ ବ୍ୟସ୍ତ ହେଲେ–କିନ୍ତୁ ଆଉ ଉପାୟ ନାହିଁ-। ଏମାନେ ‘ଲୋକପ୍ରତିନିଧି’ ହୋଇଥିବାରୁ ସାହାସର ସହିତ ଖରାପ ଓ ଲୋକଙ୍କର ଅନିଷ୍ଟ କଲାଭଳି ଆଇନ ମଧ୍ୟ କରିଗଲେ । ଯେଉଁ ଭୋଟ ବଳରେ ଲୋକେ ନିଜର ଯଥେଷ୍ଟ ଉପକାର କରିପାରିଥାନ୍ତେ, ଖାଇ ପିଇ ସୁଖରେ ରହିପାରିଥାଆନ୍ତେ, ସେହି ଭୋଟ କ୍ଷମତାର ବ୍ୟବହାର ନ କଲାରୁ ୫ବର୍ଷ ପର୍ଯ୍ୟନ୍ତ ଘୋର ଦୁଃଖ କଷ୍ଟ ଭୋଗିଲେ । ‘ଆମର କିଏ ଯାଉଛି ଭୋଟଦେବାକୁ ହୋ’–ବୋଲି ନ ବିଚାରି ଦି’ଚାରି ଘଣ୍ଟା ବା ଖୁବ୍ ହେଲେ ଓଳି ଗୋଟାଏ ସମୟ ଦେଇଥିଲେ ଲୋକେ ଆଉ ଦୁଃଖ କଷ୍ଟ ଭୋଗି ନ ଥାନ୍ତେ, ସେମାନଙ୍କ ଇଚ୍ଛା ମୁତାବକ ଆଇନ ହୋଇଥାନ୍ତା, ଲୋକଙ୍କର କ୍ଷତି କଲାଭଳି ଆଇନ ହୋଇପାରିନଥାନ୍ତା ଭୋଟଦେବାରେ କିଛି ପାହୁଲାଟିଏ ଖର୍ଚ୍ଚ ହୋଇଯାଉ ନ ଥିଲା । ନିଜେ ପରିଶ୍ରମ ନ କରି ନିଜର ଅବସ୍ଥା ଭଲ କରିବାକୁ ବାଟ ଥାଉ ଥାଉ ଯେ ସେବାଟ ନ ଧରିବ ତାକୁ ଆଉ ରକ୍ଷା କରିବ କିଏ ? ତମ ପତ୍ରରେ ଭାତ ବାଢ଼ି ଦିଆଗଲା–ତମ ଅଯୋଗ୍ୟତାରୁ ଯଦି ତୁମେ ଖାଇ ନ ପାରିଲ ତେଣିକି ବଳ କାହାର ?

 

ଭୋଟଟି ଗୋଟିଏ କ୍ଷମତାପତ୍ର

 

ରାଜ୍ୟ ଶାସନ ପାଇଁ ଜଣକୁ ଭୋଟଦେବାର ପ୍ରକୃତ ଅର୍ଥ କଅଣ, ଭୋଟ ଦେଲା ଫଳରେ ଲୋକ କଅଣ କରିବାକୁ ଯାଏ ଇତ୍ୟାଦି କଥା ଜାଣିଲା ପରେ ଆମେ ବର୍ତ୍ତମାନ ବେଶ୍ ବୁଝିଗଲେ ଯେ ଭୋଟଦେବା ଅର୍ଥ ଜଣକୁ “କ୍ଷମତାପତ୍ର” ଦେବା । ଜମିବାଡ଼ି ବା ଇଲାକାଟିଏ ବୁଝିବା ପାଇଁ ଆମେ ଜଣକୁ କ୍ଷମତାପତ୍ର ଦେଲେ କେତେକ ସର୍ତ୍ତରେ ଦେଉଛୁ–ଆମ ହାତରେ ପ୍ରତିକାରର କିଛି ବାଟ ରଖୁଛୁ । କିନ୍ତୁ ଭୋଟରେ ଯାହାଙ୍କୁ କ୍ଷମତାପତ୍ର ଦେଇ ଦେଲୁ ତାଙ୍କୁ ପାଞ୍ଚ ବର୍ଷ ପାଇଁ ବିନା ସର୍ତ୍ତରେ କ୍ଷମତାପତ୍ର ଦେଇ ଦେଲୁ କହିଲେ ଚଳେ । ମଝିରେ କେତେବେଳେ ସେ କ୍ଷମତାପତ୍ର ରଦ୍ଦ କରି ଦେବାର ସ୍ୱାଧୀନତା ଆମର ନାହିଁ । ତେଣୁ ସାଧାରଣ ‘କ୍ଷମତାପତ୍ର’ ଓ ଭୋଟ ରୂପକ କ୍ଷମତାପତ୍ର ଭିତରେ ନିଶ୍ଚୟ ତଫାତ୍ ଅଛି । ସବରେଜିଷ୍ଟରଙ୍କ ସାମନାରେ ଦିଆଯାଉଥିବା କ୍ଷମତାପତ୍ର ବେଳେ ଆମେ ଯେତିକି ଭାବିଚିନ୍ତି ସାବଧାନ ହେଉ, ଭୋଟ ଦେଲାବେଳେ ତା’ଠୁଁ ଢେର ବେଶି ସାବଧାନ ହେବା ଉଚିତ । ସେ କ୍ଷମତାପତ୍ର ସହିତ କେବଳ ସମ୍ପତ୍ତି ରକ୍ଷଣା ବେକ୍ଷଣା ବା ଆର୍ଥିକ ହାନି ଲାଭର ପ୍ରଶ୍ନ ଯୋଡ଼ା ଥାଏ । କିନ୍ତୁ ଭୋଟ ବୋଲି ଯେଉଁ କ୍ଷମତାପତ୍ର ଖଣ୍ତିକ ସେଥି ସହିତ ନିଜର କେବଳ ସମ୍ପତ୍ତି ନୁହେଁ–ମାନ ଇଜ୍ଜତ ଓ ଜୀବନର ସମ୍ପର୍କ ରହିଛି । ସେ କ୍ଷମତାପତ୍ର ନେଲା ବାଲା ଯଦି ମୋର କ୍ଷତି କରିବାକୁ ବସିବ ମୋର ସମ୍ପତ୍ତି ଖିନ୍‍-ଖରାପ କରିଦେଇପାରେ–କିନ୍ତୁ ଭୋଟ କ୍ଷମତାପତ୍ର ନେଇଥିଲା ଲୋକ ଇଚ୍ଛାକଲେ ଏଭଳି ଆଇନ କରିଦେଇପାରେ ଯେ ଅଳ୍ପ ଦୋଷରେ ମୁଁ ଫାଶୀ ପାଇଯାଇପାରେ । ମୋ ପ୍ରତିନିଧିର କାର୍ଯ୍ୟ ଫଳରେ ଅନ୍ୟ ଦେଶ ଲୋକଙ୍କ ଆଗରେ ମୋର ସମ୍ମାନ କ୍ଷୁଣ୍ଣ ହୋଇପାରେ । ଏ କଥାର ଠିକ୍ ଓଲଟାଟା ମଧ୍ୟ ସମ୍ଭବ । ମୋ ପ୍ରତିନିଧି ଏଭଳି ସୁନ୍ଦର ବ୍ୟବସ୍ଥା ଓ ଆଇନ କରି ଦେବ ଯେ ମୋ ଜୀବନ ସମ୍ପୂର୍ଣ୍ଣ ନିରାପଦ ରହିପାରେ ଓ ବାହାରେ ମୋର ସମ୍ମାନ ଖୁବ୍ ବଢ଼ି ଯାଇପରେ । ମୋ ପ୍ରତିନିଧି ଇଚ୍ଛାକଲେ ଓ ତା’ର ଯଦି ନିଜ ଇଚ୍ଛା ପୂରଣ କରିବା ପାଇଁ ଯୋଗ୍ୟତା ଥାଏ ମୋର ଆର୍ଥିକ ଅବସ୍ଥାର ଯଥେଷ୍ଟ ଉନ୍ନତି ହୋଇପାରେ । ଭୋଟ କ୍ଷମତାପତ୍ର ଯାହାଙ୍କୁ ପାଞ୍ଚବର୍ଷ ପାଇଁ ଦେଇଛୁ ସେ ଆମର ମତ ନ ନେଇ, ଆମକୁ ନ ପଚାରି ତାକୁ ଆହୁରି ଦୁଇ ତିନି ବର୍ଷ ବଢ଼ାଇ ଦେଇ ପାରିବେ ।

 

ତା’ହେଲେ ଭାବିବାର କଥା ଭୋଟ କ୍ଷମତାକୁ ଠିକ୍ ଭାବରେ ବ୍ୟବହାର କଲେ ଆମେ ଯେତିକି ଉପକାର ପାଇବା ବ୍ୟବହାର କରି ନ ଶିଖିଲେ ସେତିକି ଅପକାର ହେବ । ଆମେ ଇଚ୍ଛାକଲେ ଆମର ସୁଖ ଶାନ୍ତି ଆମରି ହାତରେ–ସାମାନ୍ୟ ଟିକିଏ ଅସୁବିଧା ହେଲେ ଅଶାନ୍ତି ଓ ଦୁଃଖକୁ ଡାକିଆଣିବା । ଏହାର ଆଉ ଗୋଟିଏ ବିଶେଷତ୍ୱ ହେଉଛି ଯେ ଆମେ କ୍ଷମତାପତ୍ର ଦେଉ ବା ନ ଦେଉ ଜଣେ କେହି ଆମର ପ୍ରତିନିଧି ବୋଲି ପରିଚୟ ଦେଇ ଦେଇ ପାରିବ–ତା’ ଦରଖାସ୍ତ କେବଳ ଦୁଇଜଣ ଦସ୍ତଖତ କରିଥିଲେ ହେଲା । ସେଇଥିପାଇଁ ଭୋଟଟିକୁ ନିଆଁ ସହିତ ତୁଳନା କରାଯାଏ । ନିଆଁକୁ ବ୍ୟବହାର କରି ଜାଣିଲେ ଭାତ ତିଅଣ ରାନ୍ଧିବାଠାରୁ ଆରମ୍ଭ କରି କାରଖାନା ଆଦିର କାମ ଚଳିବ, ବ୍ୟବହାର କରି ନ ଜାଣିଲେ, ନିଜ ଅକତିଆରରୁ ଛାଡ଼ିଦେଲେ ଘରପୋଡ଼ିଠାରୁ ଆରମ୍ଭକରି ଆହୁରି ଅନେକ ସର୍ବନାଶ ଘଟିବ । ଭୋଟଟି କ’ଣ ସେ କଥା ଭଲଭାବରେ ବୁଝି ତାକୁ ଠିକ୍ ଭାବରେ ବ୍ୟବହାର କରିଜାଣିଲେ ଭୋଟର ନିଜର ରାଜା ହୋଇ ରହିବ, ଠିକ୍‍ ଭାବରେ ବ୍ୟବହାର କରିନଜାଣିଲେ ଅନ୍ୟର ଗୋଲାମ ହୋଇଯିବ । ବର୍ତ୍ତମାନ ଲୋକଙ୍କୁ ଯେଉଁ ଭୋଟ କ୍ଷମତା ମିଳିଛି ତାକୁ ଯଦି ଲୋକେ ଠିକ୍ ଭାବରେ ପ୍ରୟୋଗ ନ କରନ୍ତି, ସାବଧାନ ନ ହୁଅନ୍ତି ତେବେ କିଏ କହିବ ଯେ ଦେଶରେ ଏକଛତ୍ର ଶାସନ ନ ଚାଲିବ ? କେତେକ ଦେଶରେ ଗଣତନ୍ତ୍ର ଶାସନ ଅନେକ କାଳ ଚାଲିଲା ପରେ ମଧ୍ୟ ଏକଛତ୍ର ଶାସନର ଆରମ୍ଭ ହୋଇଛି । ଲୋକଙ୍କର ଅସାବଧାନତା ଫଳରେ ଏହା ସମ୍ଭବ ହେଲା ।

 

ସାଧାରଣ କ୍ଷମତାପତ୍ରଟିଏ ରେଜିଷ୍ଟରୀ କରିବାକୁ ହେଲେ ଆମେ ସବରେଜିଷ୍ଟରଙ୍କ ପାଖକୁ ଯାଉ, ସେଠି ଫିସ୍ ଦାଖଲ କରୁ–ତା’ପରେ ଯାଇ ଦଲିଲିଟି ରେଜିଷ୍ଟରୀ ହୁଏ । କିନ୍ତୁ ଭୋଟ ରୂପକ କ୍ଷମତାପତ୍ର କେତେ ସହଜରେ ରେଜିଷ୍ଟରୀ ହୋଇଯାଉଛି । ଭୋଟ ଦଲିଲ ରେଜିଷ୍ଟରୀ କରିବା ଅଫିସର ଆମ ଗାଁକୁ ଆସୁଛନ୍ତି ପାହୁଲାଟିଏ ସୁଦ୍ଧା ଖର୍ଚ୍ଚନକରି ଆମ କ୍ଷମତାପତ୍ର ରେଜିଷ୍ଟରୀ ହୋଇଯାଉଛି । ଭୋଟ କାଗଜଟି ହେଉଛି ଆମର “କ୍ଷମତାପତ୍ର ଦଲିଲ ।”

 

ସାନି ନିର୍ବାଚନ

 

ଆମ ଦେଶରେ ବ୍ୟବସ୍ଥା ଅଛି ଯେ ପ୍ରତି ପାଞ୍ଚବର୍ଷରେ ଥରେ ଲେଖାଏଁ ଭୋଟ ନିଆଯିବ । ବହୁ ଭାବି ଚିନ୍ତି ଆମେ ଯାହାଙ୍କୁ ଭୋଟ ଦେଲୁ ସେହିମାନେ ତ ଅନେକ ବର୍ଷ ପର୍ଯ୍ୟନ୍ତ ଦେଶକୁ ଶାସନ କରନ୍ତେ–ମଝିରେ ଏଭଳି ସାନି ନିର୍ବାଚନ କରାଇବାର ଉଦ୍ଦେଶ୍ୟ କ’ଣ ?

 

ଉଦ୍ଦେଶ୍ୟ ହେଲା ହିସାବ ବୁଝିବା । ଆମେ ସେମାନଙ୍କୁ ଯେଉଁ ଗୁରୁଦାୟିତ୍ୱ ଦେଇଥିଲୁ ତାହା ସେମାନେ ଠିକ୍ ଠିକ୍ ତୁଲାଇ ଅଛନ୍ତି କି ନାହିଁ ସେ ବିଷୟ ଆମକୁ ଆସି କହିବେ । ଆମେ ଯଦି ଭାବିଲୁ ଯେ ସେମାନେ ଆମର ଭଲ କରିବାପାଇଁ ସାଧ୍ୟମତେ ଚେଷ୍ଟା କରିଛନ୍ତି ଓ ଭବିଷ୍ୟତରେ କରିବେ ତେବେ ସେମାନଙ୍କୁ ପୁଣି ଥରେ କ୍ଷମତାପତ୍ର ବା ଭୋଟ ଦେଇ ଲୋକଙ୍କର ସେବା କରିବାର ବାଟ ଫିଟାଇ ଦେଲୁ, ନ ହେଲେ ଯଦି ଆମେ ଭାବିଲୁ ଯେ ସେମାନେ ଅଶାନୁରୂପ କାମ କରିନାହାନ୍ତି ବା ଯାହା କରିଛନ୍ତି ସେଥିରେ ଆମର ଅନିଷ୍ଟ ହେବ । ତା’ହେଲେ ଆମେ ତାଙ୍କୁ ପରିଷ୍କାର କହିଦେଲୁ “ତୁମଦ୍ୱାରା କାମ ଚଳିବ ନାହିଁ” ।

 

ପ୍ରତିନିଧି ବଦାଳାଇବାର ବା ନୂଆ ପ୍ରତିନିଧି ନିଯୁକ୍ତ କରିବାର ସୁଯୋଗ ପାଞ୍ଚବର୍ଷରେ ଥରେ ଲେଖାଏଁ ଦିଆଯିବା ନିଶ୍ଚୟ ଉଚିତ । ପାଞ୍ଚବର୍ଷରେ ଥରେ ଲୋକଙ୍କ ସାମନାକୁ ଯାଇଁ ହିସାବ ଦେବାକୁ ପଡ଼ିବ ବୋଲି ଜାଣିଥିଲେ ପ୍ରତିନିଧିମାନେ ଲୋକଙ୍କର ଅନିଷ୍ଟ କଲାଭଳି କୌଣସି କାର୍ଯ୍ୟ କରିବାକୁ ସାହସ କରିବେ ନାହିଁ । ଦେଶକୁ ଏକଛତ୍ରବାଦ ଆଡ଼କୁ ଟାଣି ନେବେ ନାହିଁ ।

 

ପ୍ରତିନିଧିମାନେ ମଧ୍ୟ ନିଜ ସ୍ୱାର୍ଥ ଓ ନିରାପଦତା ଦୃଷ୍ଟିରୁ ମଝିରେ ମଝିରେ ଲୋକଙ୍କ ମତ ବୁଝିନିଅନ୍ତି । ସେମାନେ ଯେତେବେଳେ ଭୋଟ ନେଇଥିଲେ ସେତେବେଳେ ଦେଶର ଅବସ୍ଥା ଯାହା ଥିଲା ପାଞ୍ଚବର୍ଷ ପରେ ଆଉ ହୁଏତ ସେପରି ନାହିଁ–ସମ୍ପୂର୍ଣ୍ଣ ବଦଳି ଯାଇଛି । ସେ ଅବସ୍ଥାରେ ସେମାନେ ଯାହା କରିବାକୁ ଯିବେ ସେଥିରେ ଲୋକଙ୍କ ମତ ଅଛି କି ନାହିଁ ଲୋକେ କହିଦେବା ଉଚିତ ।

 

ଚାରିଆଡ଼ୁ ବିଚାର କରି ଲୋକେ ଯାହା ମତ ଦେବେ ପ୍ରତିନିଧିମାନେ ସେହିଭଳି ଦେଶକୁ ଚଳାଇବେ ।

 

ଏବେ ସିନା ଆମ ଦେଶରୁ ଜମିଦାରୀ ଉଠିଛି, ଜମିଦାରମାନେ ତାଙ୍କ ତହସିଲଦାର ବା ଗୁମାସ୍ତାମାନଙ୍କୁ ଖଜଣା ଆଦାୟ ଆଦି କାମ କରିବା ପାଇଁ କ୍ଷମତାପତ୍ର ଦେଇଥାନ୍ତି । ପ୍ରତିବର୍ଷ ସୁନିଆଁ ଦିନ ସୋମାନଙ୍କଠାରୁ କାଗଜପତ୍ର ବୁଝିନେଇ ନୂଆ ପରଓ୍ୟାନା ଦେଇ ଦିଅନ୍ତି । କାଗଜ ବୁଝି ନୂଆ ପରଓ୍ୟାନା ଦେଲାପରେ ତହସିଲଦାରଙ୍କ ଉପରେ ଆଉ କୌଣସି ଦୋଷ ଲଦି ଦିଆଯାଏ ନହିଁ । ତାଙ୍କୁ ସାନି ପରଓ୍ୟାନା ଦେବା ଅର୍ଥ ହେଉଛି ‘ଠିକ୍ ଅଛି ବୋଲି କହି ଦିଆଯାଇଛି-।’ ଆମ ପ୍ରତିନିଧି ବା ଏମ୍.ଏଲ୍.ଏ.ମାନେ ଭୋଟରମାନଙ୍କ ତହସିଲଦାର ବା ଗୁମାସ୍ତା ଭଳି-। ପାଞ୍ଚବର୍ଷ ପରେ ତାଙ୍କୁ ଭୋଟଦେଲେ ତାଙ୍କଠାରୁ ଜାଣି ହିସାବପତ୍ର ବୁଝିନେଇ ସବୁ ଠିକ୍ ଅଛି ଓ ଏଣିକି କାମ ଚଳାଅ ବୋଲି ଭୋଟରମାନେ କହିଦେଲେ ।

 

ନିର୍ବାଚନ ଇସ୍ତାହାର

 

ଧରି ନିଅନ୍ତୁ ମୋର ଗୁଡ଼ାଏ ଜମି, ବାଡ଼ି ପୋଖରୀ, ଗଛ, ମାଛ, ଜଙ୍ଗଲ ଓ କଳକାରଖାନା ଅଛି । ସେସବୁ ବୁଝି ଚଳାଇବାର ସୁଯୋଗ ବା ସୁବିଧା ମୋର ନାହିଁ । ମୁଁ ଜଣକୁ କ୍ଷମତାପତ୍ର ଦେବାକୁ ଚାହିଁଲି । ସେଥିପାଇଁ ଖବରକାଗଜରେ ବିଜ୍ଞାପନ ଦେଲାରୁ ଦୁଇଜଣ ଲୋକ ମୋ ପାଖରେ ପହଞ୍ଚିଲେ । ସେମାନେ ହେଲେ ମୋ କ୍ଷମତାପତ୍ର ପାଇବା ପାଇଁ ପ୍ରାର୍ଥୀ । ଜଣେ ମୋତେ କହିଲେ–“ମୋତେ ଯଦି କ୍ଷମତାପତ୍ର ପାଞ୍ଚବର୍ଷ ପାଇଁ ଦେବେ, ମୁଁ ଅମୁକ ଅମୁକ କାମ କରି ଆପଣଙ୍କର ଆୟ ଏହି ଉପାୟରେ ବଢ଼ାଇବି । ଆପଣଙ୍କର ପତିତ ଜମିକୁ ଉଠିଆ କରି ଫସଲ ଆମଦାନୀ କରାଇ ଦେବି । କଳକାରଖାନା ଭଲଭାବରେ ଚଳାଇ ବର୍ତ୍ତମାନ ଆପଣ ଯେତିକି ଲାଭ ପାଉଛନ୍ତି ତା’ ଅପେକ୍ଷା ବେଶି ଦେଇଦେବି–ମୋ ନିଜ ଖର୍ଚ୍ଚ ଯାଇ ମୁଁ ଏତିକି ନେବି-।”

 

ଦ୍ୱିତୀୟ ଲୋକଟି ସେ କ’ଣ କରିପାରିବ ସବୁ କଥା ମୋତେ କହିଲା । ତେଣିକି ମୁଁ ବିଚାର କରିବି ଏ ଦୁଇ ଜଣଙ୍କ ଯୋଜନା ଭିତରୁ କେଉଁଟି ଭଲ । ଆହୁରି ମଧ୍ୟ ଭାବି ଦେଖିବି ଜଣେ ଯାହା କହୁଛି ତାକୁ କାମରେ କରିବାର ଯୋଗ୍ୟତା ତାହାର ଅଛି କି ନାହିଁ । କେବଳ ଭଲକଥା କହିଲେ ଚଳିବ ନାହିଁ । କାମରେ ପାରିବ କି ନାହିଁ ସେଇଟା ଭାବିବା କଥା । ସେ ଲୋକର ଅତୀତ କ’ଣ ଥିଲା ଓ ବର୍ତ୍ତମାନ ଅବସ୍ଥାରେ କ’ଣ ଅଛି ତାହା ମଧ୍ୟ ଟିକିଏ ବୁଝି ନେବି । ଏସବୁ ପରେ ଜଣକୁ କ୍ଷମତାପତ୍ର ରେଜିଷ୍ଟରୀ କରିଦେବି ଓ ସେହି କ୍ଷମତାପତ୍ରରେ ଲେଖି ଦେବି–‘ତୁମେ ଅମୁକ ଲୋକ ମୋ ସମ୍ପତ୍ତି ରକ୍ଷଣା ବେକ୍ଷଣ ଓ ଉନ୍ନତି ପାଇଁ ଅମୁକ ଅମୁକ କାମ କରିବ ବୋଲି ଜବାବ ଦେବାରୁ ସେହି କାର୍ଯ୍ୟ କରିବା ପାଇଁ ଏତଦ୍ୱାରା ମୁଁ ତୁମ୍ଭଙ୍କୁ କ୍ଷମତା ଦେଲି ।’

 

ନିର୍ବାଚନ ବେଳେ ଠିକ୍ ସେହିକଥା ହୁଏ । ପ୍ରାର୍ଥୀମାନେ ଆସି ଭୋଟରଙ୍କୁ କହନ୍ତି–“ଆମକୁ ଭୋଟଦେଇ ପଠାଇଲେ ଆମେ ପାଞ୍ଚବର୍ଷ ଭିତରେ ଏହିଭଳି ଭାବରେ ଉନ୍ନତି କରିବୁ, ଲୋକଙ୍କୁ ଶସ୍ତାରେ ଭାତ ଲୁଗା ଆଦି ଯୋଗାଇ ଦେଇ ସୁଖରେ ରଖିବୁ ଇତ୍ୟାଦି ଇତ୍ୟାଦି-।” ଏହି କଥାଗୁଡ଼ିକ ଲେଖି ସେମାନେ ଗୋଟିଏ ଗୋଟିଏ ନିର୍ବାଚନ ଇସ୍ତାହାର ଭୋଟରଙ୍କ ଆଗରେ ରଖନ୍ତି । ଭିନ୍ନ ଭିନ୍ନ ପ୍ରାର୍ଥୀ ବା ଦଳ ସେମାନଙ୍କ ନିର୍ବାଚନ ଇସ୍ତାହାର ବାହାର କଲା ପରେ ଭୋଟରମାନେ ଦେଖନ୍ତି କେଉଁ ନିର୍ବାଚନ ଇସ୍ତାହାର ଅନୁସାରେ ଦେଶର ଶାସନ ଚଳିଲେ ଓ ଦେଶକୁ ଚଳାଇଲେ ଲୋକଙ୍କର ପ୍ରକୃତ ଉନ୍ନତି ହେବ । ଯେଉଁ ପ୍ରାର୍ଥୀ ବା ଦଳର ନିର୍ବାଚନ ଇସ୍ତାହାର ଭୋଟରମାନଙ୍କ ମନକୁ ପାଏ ସେହିମାନଙ୍କୁ ଲୋକେ ଭୋଟ ଦିଅନ୍ତି । ଭୋଟଟା ହେଲା ‘‘କ୍ଷମତାପତ୍ର” । ସେ କ୍ଷମତାପତ୍ରରେ ତ ପୁଣି କେତେକ ସର୍ତ୍ତ ରହିବାର କଥା । ନିର୍ବାଚନ ଇସ୍ତାହାରରେ ଥିବା ପ୍ରତିଶ୍ରୁତିଗୁଡ଼ିକ “ଭୋଟ କ୍ଷମତା ପତ୍ର”ର ସର୍ତ୍ତ ବୋଲି ଧରାଯାଏ, ଅର୍ଥାତ୍ ଭୋଟରମାନେ ପ୍ରାର୍ଥୀଙ୍କୁ କୁହନ୍ତି–ଦେଶକୁ ଚଳାଇବା ପାଇଁ ତୁମ୍ଭେ ଏହିଭଳି କାର୍ଯ୍ୟ କରିବ ଓ ଦେଶର ଉନ୍ନତି ପାଇଁ ଏହି ଏହି କାର୍ଯ୍ୟ କରିବ ବୋଲି ଆମ୍ଭମାନଙ୍କୁ ପ୍ରତିଶ୍ରୁତି ଦେବାରୁ ତୁମ୍ଭମାନଙ୍କ ପ୍ରତିଶ୍ରୁତିରେ ବିଶ୍ୱାସ ରଖି ସେହିଗୁଡ଼ିକ କାର୍ଯ୍ୟରେ ପରିଣତ କରିବାପାଇଁ ଆମ୍ଭେମାନେ ଭୋଟ ବା ‘କ୍ଷମତାପତ୍ର’ ଦେଲୁ । ଆମ୍ଭେମାନେ ବିଶ୍ୱାସ କରୁଛୁ ଯେ ତୁମେ ଆମପ୍ରତି ବିଶ୍ୱାସଘାତକତା କରିବ ନାହିଁ । ଯେଉଁ ପ୍ରାର୍ଥୀ ବା ଦଳ ଭୋଟ ପାଇଗଲା ପରେ ସୋମାନଙ୍କ ନିର୍ବାଚନ ଇସ୍ତାହାର ଅନୁସାରେ କାମ ନ କରି ଯାହା ପ୍ରତିଶ୍ରୁତି ଦେଇଛନ୍ତି ତା’ର ଓଲଟା କାମ କରନ୍ତି ସେମାନେ ଭୋଟରଙ୍କ ପ୍ରତି ବିଶ୍ୱାସଘାତକତା ବା ଦଗାବାଜି କଲେ ବୋଲି ଧରାଯାଏ ।

 

ଦଳଗତ ଶାସନ

 

ଦେଶଟା ଯାକର ଲୋକେ ତ କେବଳ ଜଣଙ୍କୁ ବାଛୁନାହାନ୍ତି–ବହୁସଂଖ୍ୟକ ପ୍ରତିନିଧି ନିର୍ବାଚିତ ହୋଇଛନ୍ତି ସେମାନଙ୍କ ଭିତରେ ଆଲୋଚନା ହୋଇ, ବିଚାର ହୋଇ ସ୍ଥିର ହୁଏ କି କି ଆଇନ କରାଯିବ ଓ ଲୋକଙ୍କର ମଙ୍ଗଳପାଇଁ କେଉଁ ବାଟ ବଛା ଯିବ । ଅନୁଭୂତିରୁ ଦେଖାଗଲା ଦଳେଲୋକ ଏକମନହୋଇ ଗୋଟାଏ ନିର୍ଦ୍ଦିଷ୍ଟ ପନ୍ଥା ଧରି ନ ଚାଲିଲେ ଓ ଦେଶକୁ ନ ଚଳାଇଲେ ଭଲକାମ ଆଗେଇ ପାରିବନାହିଁ । “ଏହିଭଳି ଭାବରେ ଦେଶର ଉନ୍ନତି କରିବା ବା ଦେଶକୁ ଚଳାଇବା”–ବୋଲି ଯେଉଁମାନେ ଏକମତହୋଇ ଗଲେ ସେମାନେ ଗୋଟାଏ ଦଳ ବାନ୍ଧିଲେ । ସେହିଦଳ ଲୋକଙ୍କୁ ଆସି କହିଲେ–“ଆମ ଦଳକୁ ଯଦି ଭୋଟ ଦେବ ଆମେ ଏହି କାମ କରିବୁ–ଏଇ ହେଲା ଆମର ନିର୍ବାଚନ ଇସ୍ତାହାର” । ଗୋଟିକରୁ ବେଶି ଦଳ ସୃଷ୍ଟି ହୋଇ ଭୋଟରଙ୍କ ପାଖରେ ଯାଇ ପହଞ୍ଚନ୍ତି ଓ ସମସ୍ତେ ନିଜ ନିଜ କଥା ବୁଝାନ୍ତି । ତେଣିକି ଲୋକେ ଠିକ୍ କରନ୍ତି କେଉଁ ଦଳକୁ ଭୋଟଦେବେ । ସେତେବେଳେ ଭୋଟରମାନେ ପ୍ରାର୍ଥୀର ଯୋଗ୍ୟତା ପ୍ରତି ବିଶେଷ ଦୃଷ୍ଟି ନ ଦେଇ ଦଳର ପ୍ରତିଶ୍ରୁତି ଉପରେ ଜୋର ଦିଅନ୍ତି । ଯଦି ସେମାନଙ୍କର ବିଶ୍ୱାସ ହୁଏ ଯେ ଦଳର କାର୍ଯ୍ୟକ୍ରମ ଭଲ ସେମାନେ ଠିକ୍ କରିନିଅନ୍ତି ସେହିଦଳକୁ ବା ସେହିଦଳର ପ୍ରାର୍ଥୀକୁ ଭୋଟଦେବେ ବୋଲି । ଦଳର ଲୋକେ ଏକାଠି ବସି ସ୍ଥିର କରନ୍ତି କେଉଁମାନଙ୍କୁ କେଉଁଠୁ ପ୍ରାର୍ଥୀ ଠିଆ କରାଇବେ । ପ୍ରାର୍ଥୀ ଭୋଟରମାନଙ୍କୁ କୁହେ–‘ମୁଁ ଅମୁକ ଦଳର ପ୍ରାର୍ଥୀ–ମୋତେ ଭୋଟ ଦିଅ-।’ ଦଳ ତରଫରୁ କୁହାଯାଏ–“ଏହିପ୍ରାର୍ଥୀକୁ ଆମ ଦାୟିତ୍ୱରେ ଆମେ ଠିଆ କରାଉଛୁ । ଆମେ ପ୍ରତିଶ୍ରୁତି ଦେଉଛୁ ଯେ ଆମ ଦଳ ଯେଉଁ କାମ କରିବ ବୋଲି କହିଛି ଏହିପ୍ରାର୍ଥୀ ସେହିକାମ ଦଳର ଶୃଙ୍ଖଳା ମାନି କରିବ ।”

 

ଭିନ୍ନ ଭିନ୍ନ କାର୍ଯ୍ୟପନ୍ଥା ନେଇ ଭିନ୍ନ ଭିନ୍ନ ଦଳ ଗଢ଼ାଯାଏ

 

ବିଲାତ ଭଳି ଗୋଟିଏ ଛୋଟ ଦେଶରେ ପ୍ରତିଦଳର ଦେଶର ଚାରିଆଡ଼େ ଅଳ୍ପ ବହୁତେ ଶାଖାରହିଛି । କିନ୍ତୁ ଭାରତଭଳି ଏତେ ବଡ଼ ଦେଶଟାରେ ସବୁଦଳର ସବୁ ଅଞ୍ଚଳ ବା ପ୍ରଦେଶରେ ଶାଖା ନାହିଁ । କଂଗ୍ରେସ, ପ୍ରଜା ସୋସାଲିଷ୍ଟ ଓ କମ୍ୟୁନିଷ୍ଟଙ୍କୁ ଛାଡ଼ିଦେଲେ ଆମ ଦେଶରେ ଅନ୍ୟ ନିଖିଳ ଭାରତୀୟ ଦଳ ନାହାନ୍ତି କହିଲେ ବିଶେଷ କିଛି ଭୁଲ ହେବ ନାହିଁ । ହିନ୍ଦୁ ମହାସଭାର ଏକାଧିକ ପ୍ରଦେଶରେ ଶାଖା ଅଛି । ଏମାନଙ୍କ ବ୍ୟତୀତ ପ୍ରଦେଶର ନାନା ସମସ୍ୟାକୁ ମୂଳକରି ପ୍ରାଦେଶିକ ଦଳମାନ ଗଢ଼ାଯାଇଛି । ଆମ ଓଡ଼ିଶାର “ଗଣତନ୍ତ୍ର ଦଳ” ସେଥିଭିତରୁ ଗୋଟିଏ ।

 

ଆମ ଦେଶରେ ଦୁଇଟା ଶାସନ ଏକା ବେଳକେ ଚାଲିଛି–ଗୋଟାଏ ହେଲା କେନ୍ଦ୍ର ଶାସନ, ଅନ୍ୟଟି ପ୍ରାଦେଶିକ ଶାସନ । ଦେଶରକ୍ଷା, ରେଳ ଚଳାଚଳ, ଡାକତାର, ଶୁଳ୍‍କ, ଇନକମ୍‍ଟାକସ୍ ଆଦାୟ ପ୍ରଭୃତି ହେଲା କେନ୍ଦ୍ର ସରକାରର ଦାୟିତ୍ୱ, ବାକିଗୁଡ଼ିକ ପ୍ରାଦେଶିକ ସରକାରମାନେ ବୁଝନ୍ତି । ନିଖିଳ ଭାରତୀୟ ଦଳମାନେ କୁହନ୍ତି–ଯେଉଁଦଳର କେନ୍ଦ୍ର ଓ ପ୍ରଦେଶ ଉଭୟ ସରକାର ଉପରେ କିଛିନା କିଛି ପ୍ରଭାବ ନରହିବ ସେ ଦଳ ପକ୍ଷରେ ଦେଶର ଉପକାର କରିବା ହୁଏତ ସହଜ ନୁହେଁ । ତେଣୁ ନିଖିଳ ଭାରତୀୟ ଦଳକୁହିଁ ଭୋଟ ଦିଅ ।” ପ୍ରାଦେଶିକ ଦଳମାନେ କୁହନ୍ତି–“ଏହି ପ୍ରଦେଶର ସ୍ୱାର୍ଥ ଜଗିବୁ ବୋଲି ଆମେ ବାହାରିଛୁ, ନିଖିଳ ଭାରତୀୟ ଦଳମାନେ ଆମ ପ୍ରଦେଶର ସ୍ୱାର୍ଥକୁ ସ୍ୱତନ୍ତ୍ର ଭାବରେ ନ ଭାବି; ସବୁକଥା ସମଗ୍ର ଦେଶର ସ୍ୱାର୍ଥ ଦୃଷ୍ଟିରୁ ବିଚାରୁ ଥିବାକଥା କହି ଆମ ପ୍ରଦେଶର ସ୍ୱାର୍ଥକୁ ହୁଏତ ବଳିଦେଇ ଦେବେ । ତେଣୁ ପ୍ରାଦେଶିକ ସ୍ୱାର୍ଥର ପ୍ରହରୀ ରୂପେ ଆମକୁହିଁ ଭୋଟ ଦିଅ–ସେମାନଙ୍କୁ ନୁହେଁ’’

 

ଭୋଟରମାନେ ନାନା ଆଡ଼ୁ ବିଚାର କରି ଦେଖନ୍ତି କେଉଁ ଦଳକୁ ଭୋଟ ଦେବେ ।

 

ଦଳ ବାହାରେ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଠିଆ ହୁଅନ୍ତି । ସେମାନେ କୌଣସି ପକ୍ଷରେ ଯୋଗ ଦିଅନ୍ତି ନାହିଁ । ବିଶେଷ ଯୋଗ୍ୟତା ନଥିଲେ ସ୍ୱାଧୀନ ପ୍ରାର୍ଥୀଙ୍କ ପକ୍ଷରେ ଭୋଟରେ ଜିଣିବା କଷ୍ଟ ହୁଏ । ସେମାନେ କହନ୍ତି କୌଣସି ଦଳର ଶୃଙ୍ଖଳା ଭିତରେ ବନ୍ଧା ହୋଇ ନ ଥିବାରୁ ସ୍ୱାଧୀନ ଭାବରେ ମତ ଦେବାର ଅଧିକାର ସେମାନଙ୍କରହିଁ ରହିଛି । ଭୋଟରମାନେ ଯଦି ଦେଖନ୍ତି ଯେ ପ୍ରାର୍ଥୀ ଅତୀତରେ କେବେ କୌଣସି ଲୋକ ସ୍ୱାର୍ଥ ବିରୋଧୀ କାର୍ଯ୍ୟ କରିନାହିଁ ତେବେ ଯାଇ ସେମାନେ ତାଙ୍କୁ ଭୋଟ ଦିଅନ୍ତି ।

 

କିନ୍ତୁ ଭୋଟରମାନେ କୌଣସି ନା କୌଣସି ଦଳର ପ୍ରାର୍ଥୀଙ୍କୁ ଭୋଟଦେବା ପାଇଁ ଅଧିକ ପସନ୍ଦ କରନ୍ତି–କାରଣ ପ୍ରାର୍ଥୀ ଯଦି ସେମାନଙ୍କୁ ଠକାଏ, ଦୁଃଖସୁଖ ହାଲ ନବୁଝି ମୁହଁଛପା ଦେଇ ରହିଯାଏ ତେବେ ଭୋଟରମାନେ ସେହି ଦଳକୁ ଦାୟୀ କରିବେ । ସେମାନେ କହିବେ ଯେ ଯଦିଓ ସେମାନେ “ଜଣେ” ପ୍ରାର୍ଥୀକୁ ଭୋଟ ଦେଉଛନ୍ତି ତା’ର କାର୍ଯ୍ୟକଳାପ ପାଇଁ ଦଳର ସମସ୍ତେ ଅର୍ଥାତ୍ ଦଳଟି ଦାୟୀ । ଭିନ୍ନ ଭିନ୍ନ ଦଳ ନିଜର ପ୍ରାର୍ଥୀକୁ ଶୃଙ୍ଖଳା ଭିତରେ ରଖନ୍ତି ଓ ଦଳର ବଦନାମ ହେଲାଭଳି କାମକଲେ ସେ ତାକୁ ଦଳରୁ ବାହାର କରି ଦିଅନ୍ତି ।

 

ଜଣେ ବିଶିଷ୍ଟ ଲୋକ ଲେଖିଛନ୍ତି–ଦେଶର ଭୋଟରମାନେ ହେଲେ ଗୋଟିଏ ଗୋଟିଏ କମ୍ପାନୀର ସେୟାର ହୋଲଡର୍ ବା ଅଂଶୀଦାର ଭଳି । ଦଳମାନେ ହେଲେ କମ୍ପାନୀରେ ମ୍ୟାନେଜିଂ ଏଜେଣ୍ଟମାନଙ୍କ ଭଳି । ସେୟାର ହୋଲଡର୍‍ ବା ଅଂଶୀଦାରମାନେ ଗୋଟିଏ ଗୋଟିଏ ଦଳକୁ ଭୋଟଦେଇ ମ୍ୟାନେଜିଂ ଏଜେଣ୍ଟସ୍ ନିଯୁକ୍ତ କରିଦିଅନ୍ତି । ସେହିମାନେ ସେୟାର ହୋଲଡର୍‍ମାନଙ୍କ ତରଫରୁ କମ୍ପାନୀକୁ ଚଳାନ୍ତି ଓ ମଝିରେ ମଝିରେ ସେୟାର ହୋଲଡର୍‍ ଅର୍ଥାତ୍ ଭୋଟରମାନଙ୍କ ହିସାବ ବୁଝାଇଦେଇ ସାନି ନିଯୁକ୍ତ ହୁଅନ୍ତି । ଲୋକେ ଯଦି ସେ ଦଳର କାମରେ ସନ୍ତୁଷ୍ଟ ନ ହୁଅନ୍ତି ତେବେ ଅନ୍ୟଦଳକୁ ମ୍ୟାନେଜିଂ ଏଜେଣ୍ଟସ୍ ଭାବରେ ନିଯୁକ୍ତ କରନ୍ତି ।

 

ବିରୋଧୀ ଦଳ

 

ଗଣତନ୍ତ୍ର ଶାସନ ଚାଲିଲେ ଗୋଟିଏ ବିରୋଧୀ ଦଳ ନିଶ୍ଚୟ ରହିଯିବ । ଯେଉଁ ଦଳର ଅଧିକ ପ୍ରାର୍ଥୀ ନିର୍ବାଚିତ ହେଲେ ସେ ଦଳ ଶାସନ ଚଳାଇବେ–ଯେଉଁ ଦଳର ପ୍ରାର୍ଥୀ ଅଳ୍ପ ସଂଖ୍ୟାରେ ଆସିଲେ ସେହିଟି ଆସେମ୍ଲି ବା ପାର୍ଲାମେଣ୍ଟରେ ବିରୋଧୀଦଳ ହୋଇ ରହିବ । ବିରୋଧୀଦଳ ନଥିଲେ ଶାସନ କ୍ଷମତାରେ ଥିବା ଦଳର ଅନ୍ୟାୟର ଆସେମ୍ଲିରେ କେହି ପ୍ରତିବାଦ କରିପାରିବେ ନାହିଁ । ତେଣୁ ସେମାନେ ଲଗାମ ଛଡ଼ା ହୋଇଯିବେ ଓ ଉଦ୍ଦେଶ୍ୟ ଖରାପ ନଥିଲେ ମଧ୍ୟ ଉତ୍ସାହର ମାତ୍ରା ବେଶି ହୋଇଯିବା ଫଳରେ ଅବାଟରେ ଚାଲିଯାଇ ପାରନ୍ତି ।

 

ବିନା ଲଗାମରେ ଘୋଡ଼ା ଚଢ଼ିବାରେ ଯେଉଁ ବିପଦ ଅଛି ବିରୋଧୀଦଳ ନ ଥାଇ ଗଣତନ୍ତ୍ର ଶାସନ ଚାଲିବାରେ ଠିକ୍‍ ସେହି ବିପଦ ଅଛି । ଘୋଡ଼ା ଯେତେ ସୁଧାର ହେଲେ ମଧ୍ୟ ସବାର ହାତରେ ଲଗାମ ରହିଥିବା ଦରକାର । ଯେଉଁ ମୁହୂର୍ତ୍ତରେ ଘୋଡ଼ା ଜାଣିଲା ଯେ ତା’ଠାରେ ଲଗାମ ନାହିଁ ସେହି ମୁହୂର୍ତ୍ତରୁ ସେ ଦୁଷ୍ଟ ହେବାକୁ ଆରମ୍ଭ କରିବ । ଲଗାମ ଟାଣିବା ହୁଏତ ଦରକାର ପଡ଼ି ନ ପାରେ–କିନ୍ତୁ ତା’ ବୋଲି ବିନା ଲଗାମରେ କେହି ଘୋଡ଼ା ଚଢ଼ି ନ ପାରେ । ଶାସନରେ ଥିବା ଦଳଙ୍କର ବିରୋଧୀ ଦଳ ହେଲା ଲଗାମ ।

 

ଆସେମ୍ଲି ବା ପାର୍ଲାମେଣ୍ଟରେ ଜଣଙ୍କୁ ବିରୋଧୀ ଦଳର ନେତା ବୋଲି ସ୍ୱୀକାର କରାଯାଏ ଓ ଶାସନରେ ଥିବା ଦଳର ନେତା ବା ମୁଖ୍ୟମନ୍ତ୍ରୀ ଅନେକ ସମୟରେ ତାଙ୍କ ପରାମର୍ଶ ଲୋଡ଼ନ୍ତି । ବିଲାତରେ ବିରୋଧୀ ଦଳର ନେତାଙ୍କୁ ଶାସକ ଦଳ ଖୁବ୍‍ ଖାତିର କରନ୍ତି ଓ ସରକାରଙ୍କ ତରଫରୁ ତାଙ୍କୁ ଗୋଟାଏ ଅଫିସ ଯୋଗାଇ ଦିଆଯିଏ । ସେ ବେତନ ମଧ୍ୟ ପାଆନ୍ତି । ଗଣତନ୍ତ୍ର ଶାସନର ଏ ହେଉଛି ଗୋଟିଏ ବଡ଼ ବିଶେଷତ୍ୱ ।

 

ପ୍ରତିନିଧି ଯିବେ ନା ତାଙ୍କୁ ପଠାଯିବ ?

 

ପ୍ରତିନିଧି ଯିବେ ନା ତାଙ୍କୁ ପଠାଯିବ–ଏହି ପ୍ରଶ୍ନର ଉତ୍ତର ଉପରେ ଅନେକ କଥା ନିର୍ଭର କରୁଛି । ଆସେମ୍ଲି ମେମ୍ବର ହେବା ଗୋଟାଏ କିଛି ବଡ଼ ଲାଭଜନକ ଚାକିରି ନୁହେଁ–ସେଠିକି ଲୋକର ସେବା କରିବା ପାଇଁହିଁ ଯିବାକୁ ହୁଏ । ତେଣୁ ଗୁଡ଼ାଏ ଟଙ୍କା ପଇସା ଖରଚକରି ଯେଉଁ ପ୍ରାର୍ଥୀ ପ୍ରତିନିଧି ହେବାର ଉଦ୍ୟମ କରିବେ ତାଙ୍କୁ ଲୋକେ ନିଶ୍ଚୟ ପଚାରିବେ–ଏତେ ଟଙ୍କା ଖର୍ଚ୍ଚକରି କାହିଁକି ଆସେମ୍ଲିକୁ ଯିବାକୁ ମନକରିଛ । ସେଠିତ ଗୁଡ଼ାଏ ପଇସା ପାଇବାର ସମ୍ଭାବନା ନାହିଁ ।’ ଯେତେବେଳେ ପ୍ରାର୍ଥୀମାନେ ଆସେମ୍ଲିକୁ ‘ଯିବେ’ ନାହିଁ, ସେମାନଙ୍କୁ ‘ପଠାଯିବ’ ସେତେବେଳେ ଯାଇଁ ଗଣତନ୍ତ୍ର ଶାସନ ହେବ । ଲୋକେ ପ୍ରାର୍ଥୀ ଦୁଆରକୁ ଯାଇ ପ୍ରତିନିଧି ହେବା ପାଇଁ ଅନୁରୋଧ କରିବେ–ପ୍ରାର୍ଥୀ ଲୋକଙ୍କ ପାଖକୁ ଯାଇ ବିକଳ ହୋଇ ଭୋଟ ମାଗିବ ନାହିଁ–ଏହି ଅବସ୍ଥା ଯେତେବେଳେ ଆସିବ ସେତେବେଳେ ଯାଇ ଲୋକେ ଗଣତନ୍ତ୍ରର ପ୍ରକୃତ ସ୍ୱାଦ ପାଇବେ । ଅଜସ୍ର ଧନ ଖର୍ଚ୍ଚକରି ଯେଉଁ ଲୋକ ଆସେମ୍ଲିକୁ ଯାଇଥିବ ସେ ପ୍ରତ୍ୟେକ୍ଷରେ ନ ହେଲେ ମଧ୍ୟ ପରୋକ୍ଷରେ ନିଜ ପଦର ସୁଯୋଗ ନେଇ ଟଙ୍କା କରିବାର ଉପାୟ ପାଞ୍ଚୁଥିବ ବୋଲି ଲୋକେ ହୁଏତ ସନ୍ଦେହ କରିବେ ।

 

ଯେଉଁ ଲୋକ ଟଙ୍କା ଖର୍ଚ୍ଚକରି ନିଜ “ବାହୁବଳରେ” ଏମ୍.ଏଲ୍.ଏ: ହେଲା ସେ ଆଉ ଲୋକଙ୍କ ମତକୁ କାହିଁକି ଖାତିର କରିବ ? ସେ ନିଜେ ‘‘ଯାଇଛି” ବା ତା’ ଟଙ୍କା ତାକୁ ପଠାଇଲା । ଯାହାକୁ ଲୋକେ ଦରକାର ହେଲେ ହାତରୁ ଖର୍ଚ୍ଚକରି ପ୍ରତିନିଧି ବାଛିବେ ତାକୁ ଜାଣି ‘‘ଲୋକ ପଠାଇଲେ”–ସେ ନିଜ ବାହୁବଳରେ ଗଲା ନାହିଁ । ଯାହାକୁ ଲୋକେ ପଠାଇଲେ ସେ ସବୁ କଥାରେ ଲୋକଙ୍କ ପାଖରେ ‘ଜବାବ ଦେହି’ ରହିବ । ନିଜେ ଯାଇଥିବା ଓ ଲୋକଙ୍କ ଦ୍ୱାରା ପଠାଯାଇଥିବା–ଏହି ଦୁଇ ପ୍ରତିନିଧିଙ୍କ ମନୋଭାବରେ ଆକାଶ ପାତାଳ ପ୍ରଭେଦ ରହିବ ।

 

ଜଣେ ଚାଷୀ କହିଲାଭଳି ଆମେ ଚାଷ ପାଇଁ ଚାକର ବା କୋଠିଆ ଜଣେ ରଖିବାକୁ ଗଲେ ତା’ ଦୁଆର ମୁହଁକୁ ତିନିଥର ଦୌଡ଼ି ତା’ର ଯାତ୍ରା ଖର୍ଚ୍ଚ ଫୁଲ ଲୁଗାଦେଇ ଆମ କାମ ପାଇଁ ରଖୁଛୁ । ଯଦି ଜଣେ ଆସି ମୋତେ ଓଲଟି ଦଶ ପଚିଶ ଟଙ୍କା ସଲାମି ଦେଇ, ମୋ ଘରେ ଚାକିର ରହିବାକୁ ଚାହିଁବ ମୋର ନିଶ୍ଚୟ ସନ୍ଦେହ ହେବ ଯେ ସେ ମୋ ଘରୁ ବା ବିଲରୁ ଯେକୌଣସି ଉପାୟରେ ଚୋରି କରିବ । ଭୋଟ ଦେଲାବେଳେ ମଧ୍ୟ ଭୋଟରମାନେ ଏହି କଥାଟା ଭାବି କାମ କରିବା ଉଟିତ ।

 

ଶିକ୍ଷା-ଶୃଙ୍ଖଳା-ଗଣତନ୍ତ୍ର

 

ଆମେ ଏ କଥା ନିଶ୍ଚୟ ସ୍ୱୀକାର କରିବା ଯେ ଲୋକଙ୍କ ଭିତରେ ଶିକ୍ଷାର ପ୍ରସାର ନ ହେଲେ ସେମାନଙ୍କ ଭିତରେ ଶୃଙ୍ଖଳା ଜ୍ଞାନ ନ ଜନ୍ମିଲେ, ଆଇନକୁ ମାନି ଚାଲିବାର ପ୍ରବୃତ୍ତି ନ ରହିଲେ, କୌଣସି ଆଇନଟା ବଦଳାଇବା ପର୍ଯ୍ୟନ୍ତ ଧୈର୍ଯ୍ୟ ନ ଧରିଲେ ଗଣତନ୍ତ୍ର ଶାସନ ଚାଲିପାରିବ ନାହିଁ । ବାତାଜୀର୍ଣ୍ଣ ରୋଗୀ ଭଲ ଓ ସୁସ୍ୱାଦୁ ଖାଦ୍ୟ ଖାଇ ହଜମ କରିପାରେ ନାହିଁ–ତେଣୁ ସେ ଖାଦ୍ୟର ଉପକାର ପାଇପାରେ ନାହିଁ । ଶିକ୍ଷାର ପ୍ରସାର ନ ହୋଇଥିବା ଓ ଶୃଙ୍ଖଳାଜ୍ଞାନ ନଥିବା ସମାଜ ଗଣତନ୍ତ୍ର ଶାସନର ସୁଫଳ ଭୋଗ କରିପାରିବ ନାହିଁ । ବରଂ ଏକଥା କୁହାଯାଇପାରେ ଯେ ଆମ ଦୋଷ ଯୋଗୁଁ ଗଣତନ୍ତ୍ର ଶାସନ କ୍ରମେ ଏକଛତ୍ରବାଦର ରୂପ ନେଇ ନେବ ।

 

ଏବେ ଆମ ଦେଶରେ ପଞ୍ଚାୟତ ରାଜ୍ୟ ପ୍ରତିଷ୍ଠା ହେବାକୁ ଯାଉଛି । ଲୋକେ ଭୋଟଦେଇ ଗ୍ରାମପଞ୍ଚାୟତମାନ ବାଛିବେ ଓ ଅଞ୍ଚଳ ଶାସନ ଚାଲିବ । ଲୋକେ ଯଦି ବୁଝି ବିଚାରି ଯୋଗ୍ୟ ଲୋକ ନ ବାଛିବେ ସେମାନେ କଷ୍ଟ ଭୋଗ କରିବେ–ପରେ ଆପତ୍ତି କରିବାର କିଛି ନ ଥିବ ।

 

ଜନମତ ଓ ସରକାର

 

ଥରେ ନିର୍ବାଚନ ହୋଇଗଲେ ସଂଖ୍ୟାଗରିଷ୍ଠ ଦଳ ଶାସନ ଗାଦିରେ ବସିବେ । ସେମାନେ କିଛି ଭୁଲ କଲେ ଜନମତ ସେମାନଙ୍କୁ ବାଟକୁ ଆଣିବ । ଆମ ଦେଶରେ ପ୍ରତିନିଧିମାନଙ୍କୁ ଲୋକେ ବିଚାରିଲେ ମଝିରେ ଫେରାଇ ଆଣିବାର ଅଧିକାର ଲୋକଙ୍କୁ ଦିଆଯାଇନାହିଁ । ସେଥିପାଇଁ ସରକାର ଉପରେ ଜନମତର ଚାପ ପଡ଼ିବନାହିଁ ବୋଲି ବିଚାରିବାର କୌଣସି କାରଣ ନାହିଁ । ଜନମତ ଯଦି ଶୃଙ୍ଖଳିତ ପନ୍ଥାରେ ପ୍ରକାଶ ପାଏ ଯେକୌଣସି ନିର୍ବାଚିତ ସରକାର ଶୁଣିବାକୁ ବାଧ୍ୟ–ଶୁଣନ୍ତି ମଧ୍ୟ । ଶାସନ ଗାଦିରେ ଥିବା ଦଳ ଯଦି ଦେଖିଲେ ଯେକୌଣସି ଗୋଟାଏ ବିଷୟରେ ସେମାନଙ୍କ ପଛରେ ଜନମତ ଆଦୌ ନାହିଁ ସେମାନେ ଇସ୍ତଫାଦେଇ ଲୋକଙ୍କର ମତ ଜାଣିବା ପାଇଁ ପୁଣି ଥରେ ନିର୍ବାଚନରେ ଆସି ଠିଆ ହୁଅନ୍ତି ।

 

ଗୋପନ ଭୋଟ

 

ବହୁ ଭାବିଚିନ୍ତି ସ୍ଥିର କରାଯାଇଛି ଯେ ଲୋକେ ଯେତେବେଳେ ଆଇନ ସଭାକୁ ଭୋଟ ଦେବେ ସେତେବେଳେ କିଏ କାହା ପାଇଁ ଭୋଟଦେଲା ସେ କଥା ଅନ୍ୟଲୋକେ ଜାଣିବା ଉଚିତ ନୁହେଁ । ତାକୁହିଁ କୁହନ୍ତି ‘ଗୋପନ ଭୋଟ’ । ଗୋପନ ଭୋଟ ବା ସିକ୍ରେଟ ବାଲଟ୍ ପ୍ରଥା ନଥିଲେ ଅନେକ ଲୋକ ଭୋଟଦେବାକୁ ଡରନ୍ତେ । ପ୍ରତିପତ୍ତିଶାଳୀ, ଧନୀ ଏ ଦୁଷ୍ଟ ଲୋକଙ୍କ ବିରୁଦ୍ଧରେ ପ୍ରକାଶ୍ୟରେ ଭୋଟଦେବାକୁ ଲୋକେ ସାହାସ କରନ୍ତେ ନାହିଁ । ନିର୍ବାଚନ ନିଶା ଏଭଳି ଜୋରରେ ଧରେ ଯେ ଗୋପନ ଭୋଟପ୍ରଥା ନ ଥିଲେ ହାଣ କାଟ ହୋଇଯାଉ ଥାନ୍ତା ।

 

ପ୍ରତ୍ୟକ୍ଷ ଓ ପରୋକ୍ଷ ଭୋଟ

 

ପ୍ରତିନିଧିମାନଙ୍କୁ ଦୁଇ ପ୍ରକାରର ନିର୍ବାଚନ କରାଯାଏ–ପ୍ରତ୍ୟେକ୍ଷ ଭାବରେ ଓ ପରୋକ୍ଷ ଭାବରେ । ‘ପ୍ରତ୍ୟକ୍ଷ ଭୋଟ’ ଅର୍ଥ ଆମେ ସିଧାସଳଖ ଭୋଟଦେଇ ପ୍ରତିନିଧି ବାଛିଦେବା, ପରୋକ୍ଷ ଭୋଟ ଅର୍ଥ–ଆମେ କେତେଜଣ ପ୍ରତିନିଧି ବାଛିଦେବା ଓ ସେହିମାନେ ଅନ୍ୟ କେତେଜଣଙ୍କୁ ବା ଜଣକୁ ବାଛିବେ ।

 

ଆସେମ୍ଲି ବା ପାର୍ଲାମେଣ୍ଟକୁ ପ୍ରତିନିଧିମାନେ ସିଧାସଳଖ ଭୋଟ ପାଇ ବଛା ହୁଅନ୍ତି । ପ୍ରତ୍ୟେକ ଭୋଟର ଭୋଟ ଦିଏ ଓ ଯେ ବେଶି ସଂଖ୍ୟାରେ ପାଇଲା ସେ ନିର୍ବାଚିତ ହୋଇଗଲା । କିନ୍ତୁ ଆମ ସଭାପତିଙ୍କୁ ବାଛିଛି କିଏ ? ସମଗ୍ର ଭାରତରେ ଯେତେ ଆସେମ୍ଲି ଓ ପାର୍ଲାମେଣ୍ଟ ସଭ୍ୟ ଅଛନ୍ତି ସେହିମାନେ ହେଲେ ସଭାପତି ନିର୍ବାଚନ ପାଇଁ ‘ଭୋଟର’ । ସେମାନଙ୍କ ସଂଖ୍ୟା ଚାରିହଜାରରୁ ଟିକିଏ ବେଶି । ସେହିମାନେ ଭୋଟଦେଇ ଭାରତର ସଭାପତି ବା ରାଷ୍ଟ୍ରପତିଙ୍କୁ ବାଛୁଛନ୍ତି । ରାଷ୍ଟ୍ରପତି ଜଣେ ନିର୍ବାଚିତ ପ୍ରତିନିଧି ସତ–କିନ୍ତୁ ତାଙ୍କ ନିର୍ବାଚନଟା ପରୋକ୍ଷ ଭୋଟରେ ହୋଇଛି । ଆମଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ରାଷ୍ଟ୍ରପତିଙ୍କୁ ନିର୍ବାଚନ କରିଛନ୍ତି । ଆମେରିକାରେ ଭିନ୍ନ ବ୍ୟବସ୍ଥା, ସେ ଦେଶର ସଭାପତି ଲୋକମାନଙ୍କ ପ୍ରତ୍ୟକ୍ଷ ଭୋଟରେ ଯାନ୍ତି ।

 

ଆମ ଦେଶରେ ପାର୍ଲାମେଣ୍ଟକୁ ‘ଲୋକସଭା’ ବୋଲି କୁହନ୍ତି । ‘ରାଜ୍ୟସଭା’ ନାମରେ ଆଉ ଗୋଟିଏ ସଭା ଅଛି । ବିଭିନ୍ନ ରାଜ୍ୟ ଆସେମ୍ଲିର ପ୍ରତିନିଧିମାନେ ଭୋଟଦେଇ କେତେଜଣଙ୍କୁ ବାଛିଛନ୍ତି, ସେହିମାନେ ରାଜ୍ୟସଭାର ସଭ୍ୟ । ଏଇଟା ହେଲା ‘ପରୋକ୍ଷ ନିର୍ବାଚନ’ ।

 

ଆଉ ଗୋଟାଏ ପ୍ରକାରର ଜଟିଳ ଭୋଟପ୍ରଥା ଅଛି । ଧରନ୍ତୁ ରାଜ୍ୟସଭାକୁ ଆମ ଓଡ଼ିଶା ଆସେମ୍ଲିରୁ ୧୪ଜଣ ବଛା ହେବେ । ଶହେ ଚାଳିଶ ଜଣ ସଭ୍ୟ ଭୋଟ ଦେଇ ୧୪ଜଣ ବାଛିବେ । ସେଠି ସିଧାସଳଖ ଭୋଟ ଗଣତି ହୁଏ ନାହିଁ ସିଧାସଳଖ ଭୋଟ ଗଣତି ଅର୍ଥ–ସମସ୍ତେ ଭୋଟ ଦେଲା ପରେ କୋଡ଼ିଏ ଜଣ ପ୍ରାର୍ଥୀଙ୍କ ଭିତରୁ ଯେଉଁ ଚଉଦ ଜଣଙ୍କର ବେଶି ଭୋଟ ହୁଅନ୍ତା ସେହିମାନେ ନିର୍ବାଚିତ ହୋଇ ଯାଆନ୍ତେ । କିନ୍ତୁ ତା’ ହୁଏ ନାହିଁ । ସେଠି ପ୍ରତ୍ୟେକ ସଭ୍ୟ ବା ଭୋଟର ଚଉଦଟା ଭୋଟ ଦେଇପାରିବେ–କିନ୍ତୁ ପ୍ରଥମ ଭୋଟଟିର ମୂଲ୍ୟ ଯଦି ଶହେ ହେଲା ଦ୍ୱିତୀୟ ଭୋଟଟିର ମୂଲ୍ୟ ତା’ଠାରୁ କମ୍ । ଅନ୍ୟ ଭୋଟଗୁଡ଼ିକର ମୂଲ୍ୟ ସେହି ଅନୁପାତରେ କମ୍ । ୧୪୦ ଜଣ ୧୪ଜଣଙ୍କୁ ବାଛିବେ । ଜଣେ ଯଦି ପ୍ରାୟ ଦଶଟା ‘‘ପହିଲି ଭୋଟ” ପାଇଗଲା ସେ ନିର୍ବାଚିତ ହୋଇଗଲା । କିନ୍ତୁ ଧରନ୍ତୁ କେତେଜଣ ବାର ଚଉଦଟା “ପହିଲି ଭୋଟ” ପାଇଗଲେ । ଅନ୍ୟମାନଙ୍କ ପାଇଁ ଦଶଟା ପହିଲି ଭୋଟ ତ ରହିଲା ନାହିଁ । ସେମାନଙ୍କ ଭିତରୁ କିଏ ଆଠଟା ପାଇଛି ଓ କିଏ ପାଇଛି ୬ଟା । ଏହି କ୍ଷେତ୍ରରେ ଚାଲିଲା ଜଟିଳ ହିସାବ । ସେମାନଙ୍କ ଭିତରୁ କେତେ ମୂଲ୍ୟର ଭୋଟ କିଏ ପାଇଛି ସ୍ଥିରକରିବା ପାଇଁ ଗୁଡ଼ାଏ କଲମ ଘୋରିବାକୁ ପଡ଼େ । ଶେଷରେ ଦେଖିଲା ବେଳକୁ ୮ଟା “ପହିଲି ଭୋଟ” ପାଇଥିବା ଲୋକ ହୁଏତ କଟିଗଲାଣି–ନିର୍ବାଚିତ ହୋଇଗଲାଣି ଚାରିଟା ପହିଲି ଭୋଟ ପାଇଥିବା ଲୋକ ।

 

ନିର୍ବାଚନମଣ୍ତଳୀ

 

ଗୋଟିଏ ଗୋଟିଏ ଅଞ୍ଚଳ ଜଣେ ଲେଖାଁ ପ୍ରତିନିଧି ପଠାଏ । ଆମ ଓଡ଼ିଶା ଆସେମ୍ଲିକୁ ୧୪୦ ଜଣ ସଭ୍ୟ ଯାଆନ୍ତି । ସେମାନଙ୍କୁ ଲେଜିସଲେଟିଭ୍‍ ଆସେମ୍ଲିର ସଭ୍ୟ ବା ‘ମେମ୍ବର’ ଲେଜିସଲେଟିଭ୍‍ ଆସେମ୍ଲି ବୋଲି କୁହାଯାଇଥାଏ । ଇଂରାଜୀରେ ‘ମେମ୍ବର’ ଶବ୍ଦରୁ ଏମ୍, ‘ଲେଜିସଲେଟିଭ୍‍’ରୁ ‘ଏଲ୍‍’ ଓ ଆସେମ୍ଲିରୁ ‘ଏ’–ନେଇ ଏମ୍.ଏଲ୍.ଏ. ବୋଲି କୁହାଯାଏ । ସେହି ୧୪୦ ଜଣ ଏମ୍.ଏଲ୍.ଏ.ଙ୍କୁ ପଠାଇବା ପାଇଁ ସମଗ୍ର ଓଡ଼ିଶାକୁ ୧୪୦ଟା ଅଞ୍ଚଳରେ ଭାଗ କରାଯାଇଛି । ଗୋଟିଏ ଗୋଟିଏ ଅଞ୍ଚଳନେଇ ଗୋଟିଏ ଗୋଟିଏ ଆସେମ୍ଲି ନିର୍ବାଚନମଣ୍ତଳୀ । ଇଂରାଜୀରେ କୁହନ୍ତି “କନ୍‍ଷ୍ଟିଚୁଏନ୍‍ସି” । ପାର୍ଲାମେଣ୍ଟପାଇଁ ଆମରାଜ୍ୟକୁ ୨୦ଟା ଅଞ୍ଚଳରେ ଭାଗ କରାଯାଇଛି । ପ୍ରତ୍ୟେକଟି ଗୋଟିଏ ଲେଖାଁ ପାର୍ଲାମେଣ୍ଟ ନିର୍ବାଚନମଣ୍ତଳୀ । ସାତଟା ଆସେମ୍ଲି–ନିର୍ବାଚନମଣ୍ତଳୀକୁ ନେଇ ଗୋଟିଏ ଲେଖାଁ ପାର୍ଲାମେଣ୍ଟ ନିର୍ବାଚନ ମଣ୍ଡଳୀ ଗଢ଼ାଯାଇଛି । ଓଡ଼ିଶାର ଏକ ଲକ୍ଷରୁ ଟିକିଏ ବେଶି ଲୋକ ଗୋଟିଏ ନିର୍ବାଚନମଣ୍ତଳୀରେ ଅଛନ୍ତି ଓ ସେମାନେ ଜଣେ ଲେଖାଁ ପ୍ରତିନିଧି ପଠାନ୍ତି ।

 

ଭିନ୍ନ ଭିନ୍ନ ଉଦ୍ଦେଶ୍ୟରେ ଛୋଟ ଛୋଟ ନିର୍ବାଚନମଣ୍ତଳୀ ମଧ୍ୟ ସ୍ଥିର କରାଯାଇଛି । ଗ୍ରାମପଞ୍ଚାୟତମାନ ଗଢ଼ାଯିବ । ପାଞ୍ଚହଜାର ଲୋକଥିବା ଅଞ୍ଚଳକୁ ନେଇ ଯଦି ଗୋଟାଏ ଗ୍ରାମପଞ୍ଚାୟତ ହେବ ସେଥିରେ ପଚିଶି ଜଣ ସଭ୍ୟ ନିର୍ବାଚିତ ହୋଇ ଯିବେ । ତେଣୁ ପ୍ରତି ଦୁଇଶହଜଣ ଲୋକ ଜଣେ ଲେଖାଁ ସଭ୍ୟ ବାଛିବେ । ଦୁଇଶହ ଲୋକ ରହୁଥିବା ଗୋଟିଏ ଗୋଟିଏ ଅଞ୍ଚଳରେ ଗ୍ରାମପଞ୍ଚାୟତ ଏରିଆଟି ଭାଗ ହେବ । ଏ କ୍ଷେତ୍ରରେ ଛୋଟ ଛୋଟ ନିର୍ବାଚନମଣ୍ତଳୀ ହୋଇଗଲା । ତେଣୁ ଦେଶଟାକୁ ପାର୍ଲାମେଣ୍ଟ, ଆସେମ୍ଲି, ଗ୍ରାମସଭା ଦୃଷ୍ଟିରୁ ଛୋଟବଡ଼ ନିର୍ବାଚନମଣ୍ତଳୀ ବା କନ୍‍ଷ୍ଟିଚୁଏନ୍‍ସିରେ ଭାଗ କରାଯାଏ । କେବଳ ରାଷ୍ଟ୍ରପତି ନିର୍ବାଚନ ପାଇଁ ସମଗ୍ର ଦେଶକୁ ଗୋଟିଏ ନିର୍ବାଚନମଣ୍ତଳୀ ବୋଲି ଧରାଯାଉଛି ।

 

ଡବଲ ମେମ୍ବର ନିର୍ବାଚନମଣ୍ତଳୀ

 

“ଡବଲ ମେମ୍ବର କନ୍‍ଷ୍ଟିଚୁଏନ୍‍ସି” ବୋଲି ଗୋଟାଏ କଥା ଆମେ ବରାବର ଶୁଣୁ । ଆମ ଦେଶରେ କୋଟି କୋଟି ଲୋକଙ୍କୁ ଅଛୁଆଁ କରି ରଖାଯାଇଛି ଓ ଲକ୍ଷ ଲକ୍ଷ ଲୋକ ବଣ ଜଙ୍ଗଲରେ ଅତି ଦୁଃଖ କଷ୍ଟରେ ଚଳନ୍ତି । ସେହି ହରିଜନ ଓ ଆଦିବାସୀମାନେ ନିର୍ବାଚନରେ ଅନ୍ୟମାନଙ୍କ ସହିତ ପ୍ରତିଯୋଗିତା କରିପାରିବେ ନାହିଁ । ତେଣୁ ସେମାନଙ୍କ ପାଇଁ କେତେଗୁଡ଼ାଏ ଆସେମ୍ଲି ସିଟ୍ ଅଲଗା କରିଦିଆଯାଇଛି । ଚାରି ପୁଅଙ୍କର ମା’ ଯାହା କରେ ଆମ ଦେଶରେ ଶାସନ ଖସଡ଼ାରେ ତାହାହିଁ ହୋଇଛି । ତିନି ପୁଅ ଯଦି ବଳୁଆ ଥାଆନ୍ତି ସେମାନେ ସବୁ ଭଲ ଜିନିଷ ଖାଇଦେବେ–ଦୁର୍ବଳ ପୁଅ ପାଇଁ ରଖିବେ ନାହିଁ । ଏହି ଭୟ ଥିବାରୁ ଦୁର୍ବଳ ପୁଅ ପାଇଁ ମା’ ଭଲ ଜିନିଷରୁ କିଛି କିଛି ଅଲଗା କରି ରଖିଦିଏ । ହରିଜନ ଆଦିବାସୀଙ୍କ ପାଇଁ ଆସେମ୍ଲି ସିଟ୍ ଅଲଗା ରଖାଯାଇଥିଲେ ମଧ୍ୟ ସମସ୍ତଙ୍କ ଭୋଟ ବଳରେ ସେମାନେ ଯିବେ–କେବଳ ହରିଜନ ଭୋଟର ହରିଜନ ଏମ୍.ଏଲ୍.ଏ. ବାଛିବେ ନାହିଁ କି ଆଦିବାସୀ ଭୋଟର ଆଦିବାସୀ ଏମ୍.ଏଲ୍.ଏ. ବାଛିବେ ନାହିଁ । ଏହି ବ୍ୟବସ୍ଥା ହୋଇଥିବାରୁ ଡବଲ ମେମ୍ବର ନିର୍ବାଚନମଣ୍ତଳୀ ଗଢ଼ାଯାଇଛି । ବାଲିକୁଦା ନିର୍ବାଚନମଣ୍ତଳୀରୁ ଜଣେ ସଭ୍ୟ ହେବେ । ସେଠା ଲୋକେ ଜଣେ ପ୍ରାର୍ଥୀଙ୍କୁହିଁ ଭୋଟଦେବେ । ଜଗତସିଂହପୁରରୁ ଜଣେ ଓ ଗୋବିନ୍ଦପୁରରୁ ଜଣେ, ଏହିଭଳି ଦୁଇଜଣ ଯାଆନ୍ତେ । କିନ୍ତୁ ସେହି ଦୁଇଟା ନିର୍ବାଚନମଣ୍ତଳୀକୁ ଏକାଠି ମିଶାଇ ଗୋଟିଏ ଡବଲ ମେମ୍ବର ନିର୍ବାଚନମଣ୍ତଳୀ କରିଦିଆଯାଇଛି । ସେଠୁ ଯେଉଁ ଦୁଇଜଣ ଆସେମ୍ଲିକୁ ଯିବେ ତାଙ୍କ ଭିତରୁ ଜଣେ ନିଶ୍ଚୟ ହରିଜନ ହୋଇଥିବା ଚାହି । ସେଠି ପ୍ରତ୍ୟେକ ଭୋଟରକୁ ଦୁଇଖଣ୍ତ ଲେଖା ଭୋଟ କାଗଜ ମିଳିବ ।

 

ଶେଷରେ କ’ଣ ହେବ ଦେଖାଯାଉ । ଧରିନିଅନ୍ତୁ ହରି ମିଶ୍ର, ରାମ ପଟ୍ଟନାୟକ, ଗୋପାଳ ମଲିକ ଓ ଅପର୍ତ୍ତି ଭୋଇ ପ୍ରାର୍ଥୀ ହେଲେ । ହରି ମିଶ୍ର, ରାମ ପଟ୍ଟନାୟକ ସବର୍ଣ୍ଣ ହିନ୍ଦୁ–ଗୋପାଳ ମଲିକ, ଅପର୍ତ୍ତି ଭୋଇ ହରିଜନ । ହଜାରେ ଭୋଟରୁ ହରି ମିଶ୍ର ୪୦୦, ରାମ ପଟ୍ଟନାୟକ ୩୦୦, ଗୋପାଳ ମଲିକ ୨୦୦, ଅପର୍ତ୍ତି ଭୋଇ ୧୦୦ ପାଇଲେ । ଆସେମ୍ଲିକୁ ଯିବେ ହରି ମିଶ୍ର ଓ ଗୋପାଳ ମଲିକ । ରାମ ପଟ୍ଟନାୟକ ଗୋପାଳ ମଲିକଠୁଁ ଅଧିକ ଭୋଟ ପାଇଥିଲେ ମଧ୍ୟ କଟିଯିବ–କାରଣ ଜଣେ ହରିଜନ ନିଶ୍ଚୟ ଯିବେ । ସବର୍ଣ୍ଣ ହିନ୍ଦୁରୁ ଜଣେ କଟିଗଲା–ବେଶି ଭୋଟ ପାଇ ମଧ୍ୟ ।

 

କିନ୍ତୁ ଆଉ ଗୋଟାଏ ମଜାର କଥା ହୋଇପାରେ । ଭୋଟ ଗଣତିରେ ଦେଖାଗଲା ଗୋପାଳ ମଲିକ ୪୦୦, ଅପର୍ତ୍ତି ଭୋଇ ୩୦୦, ହରିମିଶ୍ର ୨୦୦, ରାମ ପଟ୍ଟନାୟକ ୧୦୦ ପାଇଲେ । ଆସେମ୍ଲିକୁ ପ୍ରାର୍ଥୀ ଯିବେ ଗୋପାଳ ମଲିକ ଓ ଅପର୍ତ୍ତି ଭୋଇ । କାରଣ ସେମାନେ ବେଶି ଭୋଟ ପାଇଲେ । ହରିଜନଙ୍କ ପାଇଁ ସିନା ସ୍ୱତନ୍ତ୍ର ସ୍ଥାନ ରଖାଯାଇଛି–ସବର୍ଣ୍ଣ ହିନ୍ଦୁଙ୍କ ପାଇଁ ନାହିଁ । କାରଣ ସବର୍ଣ୍ଣ ହିନ୍ଦୁମାନେ ସଂଖ୍ୟା, ଶିକ୍ଷା ଦୀକ୍ଷା ସବୁଥିରେ ବଡ଼ ହୋଇଥିବାରୁ ତାଙ୍କ ପାଇଁ ସ୍ୱତନ୍ତ୍ର ସିଟ୍ ରିଜର୍ଭ କରିରଖିବା ଦରକାର ବୋଲି ମନେହୋଇନାହିଁ । ଏହି ବ୍ୟବସ୍ଥା ସବୁଦିନ ପାଇଁ ରହିବ ନାହିଁ । କିଛିଦିନ ପରେ ଉଠାଇ ଦିଆଯିବ ବୋଲି ଶାସନ ଖସଡ଼ାରେ ଲେଖା ଅଛି । ସେତେବେଳକୁ ହରିଜନ ଓ ଆଦିବାସୀମାନଙ୍କର ଉନ୍ନତି ହୋଇ ସେମାନେ ଅନ୍ୟମାନଙ୍କ ସଙ୍ଗରେ କାନ୍ଧମିଳାଇ ଚାଲି ପାରିଥିବେ । ଆସେମ୍ଲି ଭଳି ଡବଲ ମେମ୍ବର ପାର୍ଲାମେଣ୍ଟ ନିର୍ବାଚନମଣ୍ତଳୀ ମଧ୍ୟ ଅଛି । ଚଉଦଟି ଆସେମ୍ଲି ନିର୍ବାଚନମଣ୍ତଳୀକୁ ନେଇ ଗୋଟିଏ ଡବଲ ମେମ୍ବର ପାର୍ଲାମେଣ୍ଟ ନିର୍ବାଚନମଣ୍ତଳୀ ଗଢ଼ା ।

 

ବହୁ ଦଳରେ ବିପଦ

 

ଦେଶରେ ଦୁଇ ତିନିଟା ଦଳ ରହି ନିର୍ବାଚନ ଚାଲିଲେ ଦେଶ ପକ୍ଷରେ ମଙ୍ଗଳ । ଗୁଡ଼ାଏ ଛୋଟ ଛୋଟ ଦଳ ହୋଇଗଲେ ଦେଶର ଶାସନ ଚଳାଇବା କଷ୍ଟ ହୋଇପାରେ । ସବୁ ଦଳରୁ କିଛି କିଛି ସଭ୍ୟ ନିର୍ବାଚିତ ହୋଇଗଲେ ମନ୍ତ୍ରୀମଣ୍ତଳ ଗଢ଼ିବ କିଏ ? ଆମ ଓଡ଼ିଶାରେ ଯଦି ଆଠଟି ଦଳ ନିର୍ବାଚନ ଲଢ଼ିବେ ଓ ଭିନ୍ନ ଭିନ୍ନ ଦଳ ୨୩, ୧୪, ୧୫, ୧୨, ୧୧, ୧୦, ୮, ଓ ୭ ଲେଖାଁ ସିଟ୍ ପାଇବେ କେଉଁଦଳ ମନ୍ତ୍ରୀମଣ୍ଡଳ ଗଢ଼ିବେ । ଶହେ ଛ’ଜଣ ଥିବା ଆସେମ୍ଲିରେ ଗୋଟାଏ ଦଳ ଅଧାରୁ ବେଶି ବା ପ୍ରାୟ ଷାଠିଏ ନ ହେଲେ ମନ୍ତ୍ରୀମଣ୍ତଳ ଗଢ଼ି ବେଶି ଦିନ ରହିପାରିବେ ନାହିଁ । ତିନି ଚାରିଟା ଦଳ ମିଶି ଶାସନ ଡ଼ୋର ହାତକୁ ନେଇ ପାରନ୍ତି–କିନ୍ତୁ ସେଥିରୁ ଗୋଟିଏ ଛୋଟିଆ ଦଳ କେତେବେଳେ ବାହାରିଗଲେ ମନ୍ତ୍ରୀମଣ୍ତଳ ଭୁଷୁଡ଼ି ପଡ଼ିବ । ଫ୍ରାନସରେ ଠିକ୍‍ ସେହି ଦଶା ହେଉଛି । ଦହୁଦଳ ଠିଆ ହେଉଥିବାରୁ ମନ୍ତ୍ରୀମଣ୍ତଳ ମାସେ ବର୍ଷେ ସୁଦ୍ଧା ତିଷ୍ଠି ପାରୁନାହିଁ । ଇଂଲଣ୍ତରେ ଜାଠ ଓ ଶ୍ରମିକ–କେବଳ ଦୁଇଟି ଦଳ ଅଛନ୍ତି । ଲିବରାଲ ବା ମାନ୍ଦାଦଳ କ୍ରମେ ଲୁଚି ଗଲାଣି । ଆମେରିକାରେ ଦୁଇଟି ବଡ଼ ଦଳ ରହି ଅଛନ୍ତି । ତେଣୁ ସେ ଦୁଇ ଦଳ ଦେଶରେ ଗଣତନ୍ତ୍ର ନୀତି ଭଲ କାମ ଦେଖାଉଛି ।

 

ସଂଖ୍ୟାଗରିଷ୍ଠ ଶାସନ

 

ଗଣତନ୍ତ୍ର ଯୁଗରେ ସଂଖ୍ୟାଗରିଷ୍ଠ ଦଳହିଁ ଶାସନ ଚଳାଇବେ । କିନ୍ତୁ ସଂଖ୍ୟାଲଘିଷ୍ଠ ବା ମାଇନରିଟୀ ଦଳଙ୍କ ମତକୁ ବେଖାତିର କଲେ ଚଳିବ ନାହିଁ । ସେମାନେ ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କ ପ୍ରତିନିଧି । ତେଣୁ ସଂଖ୍ୟାଗରିଷ୍ଠ ଦଳ ମାଇନରିଟୀ ବା ସଂଖ୍ୟାଲଘିଷ୍ଠ ଦଳର ମତ ନିଅନ୍ତି । ସେମାନଙ୍କୁ ବୁଝାଇ ବୁଝାଇ ଯେତେଦୂର ସମ୍ଭବ ନିଜ ମତକୁ ଗ୍ରହଣ କରାଇବା ହେଲା ସଂଖ୍ୟାଗରିଷ୍ଠ ଦଳର କାମ । ବିରୋଧୀଦଳ ସରକାରଙ୍କୁ ସମାଲୋଚନା ନିଶ୍ଚୟ କରିବେ । କିନ୍ତୁ ସେ ସମାଲୋଚନା ଗଠନମୂଳକ ହେବା ଉଟିତ । ତା’ ନ ହେଲେ ପରସ୍ପର ପ୍ରତି ତିକ୍ତତା ବଢ଼ିବ ଓ ବିରୋଧୀଦଳର ଯୁକ୍ତିକୁ ନ ଶୁଣିବା ପାଇଁ ସରକାରୀ ଦଳର ଜିଦ୍ ମଧ୍ୟ ବଢ଼ିବ । ଗଣତନ୍ତ୍ର ଶାସନର ମୂଳଭିତ୍ତି ହେଲା ପ୍ରରସ୍ପରପ୍ରତି ବିଶ୍ୱାସ ଓ ଜଣେ ଅନ୍ୟ କଥାକୁ ଅନେକ ଦୂର ପର୍ଯ୍ୟନ୍ତ ସହିଯିବା ।

 

ଗଣତନ୍ତ୍ରରୁ ବିଶ୍ୱାସ ତୁଟିଲେ ବିପଦ

 

ଗଣତନ୍ତ୍ର ଶାସନରୁ ଲୋକଙ୍କ ବିଶ୍ୱାସ ଦୁଇଟି କାରଣରୁ ତୁଟିଯାଇପାରେ । ଭୋଟ ପାଇଁ ଯେଉଁମାନେ ଶାସନ ଚଳାଇଛନ୍ତି ସେମାନେ ଯଦି ନିଜର ଜବାବ ବା ପ୍ରତିଶ୍ରୁତି ନରଖନ୍ତି ଓ ଲୋକସ୍ୱାର୍ଥ ବିରୋଧୀ କାର୍ଯ୍ୟ କରନ୍ତି ଲୋକେ ଅସନ୍ତୁଷ୍ଟ ହୁଅନ୍ତି । ସେ ଅସନ୍ତୋଷ ଦେଖାଇବା ଫଳରେ ସେମାନଙ୍କ ଉପରେ ଯଦି ଅତ୍ୟାଚାର ହୁଏ ଲୋକଙ୍କର କ୍ରୋଧ ହୁଏ ଓ ସେମାନେ ନିରାଶ ହୋଇପଡ଼ନ୍ତି । ଏହି କ୍ରୋଧ ଓ ନିରାଶ ଲୋକଙ୍କ ମନକୁ ଗଣତନ୍ତ୍ର ଶାସନ ଆଡ଼ୁ ଫେରାଇ ନିଏ ଓ ସେମାନେ କ୍ରମେ ଏକଛତ୍ରବାଦ ଆଡ଼କୁ ଆଉଜି ଯାନ୍ତି । ନିର୍ବାଚିତ ଦଳ ଯଦି କ୍ଷମତା ନିଶାରେ ଭୋଳ ହୋଇଗଲା ତେବେ ଗଣତନ୍ତ୍ରର ସମାଧି ପାଇଁ ଆୟୋଜନ ହୋଇଗଲା ।

 

ଅନ୍ୟ କାରଣଟି ହେଲା ସରକାର ଅନ୍ୟାୟ କଲେ ତା’ ବିରୁଦ୍ଧରେ ଜନମତ ସୃଷ୍ଟିନକରି, ଶାନ୍ତିପୂର୍ଣ୍ଣ ଉପାୟରେ ପ୍ରତିବାଦ ନକରି ଲୋକେ ଯଦି ହିଂସା ଆଚରଣ କରନ୍ତି ଓ ହିଂସାକୁ ଦମନ କରିବାକୁ ଯିବା ଫଳରେ ସମାଜରେ ଅଶାନ୍ତି ଘଟେ ସମସ୍ତେ ବିରକ୍ତ ହୋଇଉଠନ୍ତି ଓ ଭୁଲ ଚିନ୍ତାର କବଳରେ ପଡ଼ି ଲୋକ ଏକଛତ୍ରବାଦକୁ ପସନ୍ଦ କରନ୍ତି ।

 

ଏହି ଦୁଇଟି ଭିତରୁ ଯେକୌଣସି କାରଣରୁ ହେଉ ପଛକେ ଗଣତନ୍ତ୍ର ଶାସନ ଯଦି ବିଫଳ ହେଲା ତେବେ ଆମ ସଭ୍ୟତା ନିଶ୍ଚୟ ନାଶ ହୋଇଯିବ । ତେଣୁ ନିର୍ବାଚିତ ପ୍ରତିନିଧି ଓ ଲୋକସାଧାରଣ–ଉଭୟେ ଦେଖିବା ଉଚିତ ଏ ଦେଶ ଯେପରି “ସମସ୍ତଙ୍କ–ଶାସନରୁ ଯାଇ” ଜଣେଲୋକର ବା ଅନ୍ୟକେତେ ଜଣଙ୍କ ଶାସନ କବଳରେ ପଡ଼ିନଯାଏ ।

Image